ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା । ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଇଥିଲା । ଏହି ସମୟରେ ସହରର ଟ୍ରାଫିକ୍ ତଦାରଖ ଖୋଦ୍ ଟ୍ରାଫିକ୍ ଡିସିପି କରିଥିବା ବେଳେ ମାତ୍ର ୧୦ ମିନିଟରେ ପୀଡ଼ିତାଙ୍କୁ ବିମାନବନ୍ଦରରେ ପହଞ୍ଚାଯାଇଥିଲା ।
ସୂଚନା ଅନୁସାରେ, ଗତକାଲି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପୀଡିତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା ମଧ୍ୟ ହୋଇଛି । ସେଠାରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଛି । ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ଅଧିକ ଚିକିତ୍ସା ଲାଗି ନାବାଳିକାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।ଏନେଇ ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ଙ୍କ ମଧ୍ୟରେ ଆଲୋଚନା ସାରିଥିବା ବେଳେ ବର୍ତମାନ ବଳଙ୍ଗା ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି ।