ହଟିଲା ଫାଇଭ୍-ଟି ଚାର୍ଟର । କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍-ଟି ଚାର୍ଟର । ଫାଇଭ୍-ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କ, ଖ ଏବଂ ଗ ବର୍ଗର ସରକାରୀଙ୍କ ସିସିଆରରୁ ହଟିଲା । ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଯାଇଛି । ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁନଶ୍ଚ ପ୍ରଚଳନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ଓଡ଼ିଶା ଶାସନକୁ ସ୍ୱଚ୍ଛ, ସକ୍ରିୟ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଆଯାଇଥିଲା ୩-ଟି ମନ୍ତ୍ରରେ ଆଉ ଦୁଇଟି ଟି ଯୋଡ଼ା ଯାଇଥିଲା ନିର୍ବାଚନ ପରେ ଓ ତାହାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ନାମିତ କରା ବି ଯାଇଥିଲା । ତାହାର ତଦାରଖ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଜଣେ ସଚିବ ନିଯୁକ୍ତ ହୋଇଥିଲେ। ଏହି ସଚିବ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ।