ରାଜ୍ୟରେ ଏବେ ‘ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା’ ଲାଗୁ ହୋଇଛି । ଓଡିଶାରେ ବିଜେପିର ଡବଲ ଇଂଜିନ୍ ସରକାର ଆସିବା ପରେ ଏହି ଯୋଜନା ଓଡିଶାରେ ଲାଗୁ ହୋଇଛି । ଚଳିତ ମାସ ଜୁଲାଇ ୯ ତାରିଖରେ ଏଥିପାଇଁ ସ୍ବାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶାର ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପିଏମ୍ ଶ୍ରୀ ସ୍କୁଲରେ ବିକଶିତ କରାଯିବ । ରାଜ୍ୟର ପାଖାପାଖି ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି । ଏହି ସ୍କୁଲରେ ଅତ୍ୟାଧୁନିକ ବୈଷୟିକ ପଦ୍ଧତିରେ ଶିକ୍ଷାଦାନ କରାଯିବ । ପିଲାମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ କାମ କରିବ ପିଏମ ଶ୍ରୀ ଯୋଜନା। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବା ଦିଗରେ ସାହାଯ୍ୟ କରିବ । ବର୍ତ୍ତମାନ ସୁଦ୍ଧା ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି , ମୋଦୀ ସରକାରଙ୍କ ଯୋଜନା ପିଏମ୍ ଶ୍ରୀ ସ୍କୁଲ ଅଧୀନରେ ସେମାନଙ୍କ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଶିକ୍ଷା ମନ୍ତ୍ରଣାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।
୨୦୨୨, ସେପ୍ଟେମ୍ବର ୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ୍ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ-ଶ୍ରୀ ଯୋଜନାର ଘୋଷଣା କରିଥିଲେ ଏବଂ ସେପ୍ଟେମ୍ବର ୭ରେ ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିଲା । ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯାଉଛି । ଏଥିରେ ଜାତୀୟ ଶିକ୍ଷା ନୀତି-୨୦୨୦ର ସବୁ ଉପାଦାନ ରହିଛି ।
ଉନ୍ନତ ଭିତ୍ତିଭୂମି, ଅଭିନବ ଶିକ୍ଷାଦାନ ବ୍ୟବସ୍ଥା ଏବଂ ପ୍ରଯୁକ୍ତି ମାଧ୍ୟମରେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରାଯାଉଛି । ପରେ ପିଏମ ଶ୍ରୀ ବିଦ୍ୟାଳୟ ଆଖପାଖରେ ଥିବା ଅନ୍ୟ ବିଦ୍ୟାଳୟକୁ ପ୍ରଶିକ୍ଷଣ ଏବଂ ନେତୃତ୍ବ ପ୍ରଦାନ କରିବ । ଏହାକୁ ନେଇ କେନ୍ଦ୍ରାପଡ଼ା ର ବୁଦ୍ଧିଜୀବୀ ଶିକ୍ଷାବିତ, ଛାତ୍ର ଓ ଛାତ୍ରୀ ଙ୍କ ମନରେ ଅନେକ ଆସ ବାନ୍ଧିଛନ୍ତି I ଏହି ଯୋଜନା ହେଲେ ଅନେକ ସ୍କୁଲର ଭିତ୍ତିଭୂମି ବଦଳିବ ଲବ୍ରୋଟୋରି ର ଉର୍ନତି ହେବ, ଲାଇର୍ବେରୀ ସୁନ୍ଦର ହେବ I
୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ଲାଗି ମୋଟ୍ ୨୭,୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ସହ କାର୍ଯ୍ୟକାରୀ ହେଉଛି ଏହି ଯୋଜନା । ପିଏମଶ୍ରୀ ଯୋଜନା ଲାଗୁକରିବା ପ୍ରାୟତଃ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସହ ସ୍ବାକ୍ଷର କରିସାରିଲେଣି । କିନ୍ତୁ ଓଡ଼ିଶାର ପୂର୍ବ ବିଜେଡ଼ି ସରକାର ଶେଷ ଯାଏ ବୁଝାମଣା ପତ୍ର ସ୍ବାକ୍ଷର କରି ନଥିଲା । ପୂର୍ବରୁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅନେକଥର ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସବୁ ସତ୍ତ୍ବେ ୨୦୨୩ ନଭେମ୍ବର ୧୯ରେ ଓଡ଼ିଶାରେ ପିଏମଶ୍ରୀ ବିଦ୍ୟାଳୟର ଶୁଭାରମ୍ଭ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶାର 63 ଟି ବିଦ୍ୟାଳୟରେ ଏହା ଆରମ୍ଭ କରାଯାଇଥିଲା । ଯେଉଁଥିରେ 37ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ 26ଟି ନବୋଦୟ ବିଦ୍ୟାଳୟ ରହିଥିଲା ।