ଭକ୍ତି ଓ ସାଧନାର ପୁଣ୍ୟପୀଠ ନୀଳାଚଳଧାମ ଶଙ୍ଖ କ୍ଷେତ୍ର ପୁରୀ। ଏହି ଭୂମିର କ୍ଷେତ୍ରାଧିପତି ସ୍ବୟଂ ପରଂବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ରରେ ଉପସ୍ଥିତ ଥିବା ବୃକ୍ଷ, ପୁଷ୍କରିଣୀ ସମସ୍ତେ ଭକ୍ତିରସରେ ରସସିକ୍ତ। ଏହି ପବିତ୍ର ପୁଣ୍ୟଭୂମିକୁ କେଉଁ ଆବହମାନ କାଳରୁ ଆର୍ଥି, ଯୋଗୀ, ସାଧୁ, ସନ୍ଥ, ମହାତ୍ମାମାନେ ଆସୁଛନ୍ତି। ଏଠାରେ ଥିବା କଳ୍ପବଟ, ନୀଳଚକ୍ର, ବଡ଼ଦାଣ୍ଡ, ପତିତପାବନ ବାନା ସମସ୍ତଙ୍କୁ ଆବାହନୀ ମନ୍ତ୍ର ଶୁଣାଉଛନ୍ତି। ଭକ୍ତମାନେ ପବିତ୍ର ଶଙ୍ଖକ୍ଷେତ୍ରକୁ ଆସି ଓ ନିଜ ମନର ବ୍ୟର୍ଥତା, ଅମନଯୋଗୀ ଭାବକୁ ତ୍ୟାଗକରି ଭକ୍ତ, ସାଧୁ ସନ୍ଥ , ବ୍ରହ୍ମଜ୍ଞାନୀ ହୋଇଯାଅନ୍ତି।
ଦଣ୍ଡାୟମାନ ପବିତ୍ର ନୀଳାଚଳରେ ଯୁଗ ପରେ ଯୁଗ ଦଣ୍ଡାୟମାନ ହୋଇ ରହିଛି କଳ୍ପବଟ। ସତ୍ୟ, ତ୍ରେତୟା, ଦ୍ବାପର, କଳି ଚାରିଯୁଗର ମୂକସାକ୍ଷୀ ଏହି କଳ୍ପବଟ। ମହାପ୍ରଳୟରୁ ମହାବାତ୍ୟା ପର୍ଯ୍ୟନ୍ତ ସେମିତି ଦୃଢ଼ତାରେ ଠିଆହୋଇଛି। ମାର୍କଣ୍ଡେୟ ଋଷିଙ୍କ ଠାରୁ ଜଗନ୍ନାଥ ଦାସଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଦେଖିଛି। ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସ ଏହି କଳ୍ପବଟ ମୂଳରେ ବସି ଓଡ଼ିଆ ଜାତିର ଜୀବନଗ୍ରନ୍ଥ ‘ଭାଗବତ’କୁ ସୃଷ୍ଟି କରିଥିଲେ। ଏହି କଳ୍ପବଟ ମୂଳରେ ହିଁ ଜଗନ୍ନାଥ ଦାସ ଓ ଭକ୍ତ ଚୈତନ୍ୟଙ୍କର ସାକ୍ଷାତ ହୋଇଥିଲା।
କଳ୍ପବଟର ପ୍ରାଚୀନତା ସ୍କନ୍ଦପୁରାଣ ଓ ଅନ୍ୟାନ୍ୟ ପୁରାଣରେ ଦେଖିବାକୁ ମିଳେ। ମାର୍କଣ୍ଡେୟ ଋଷି ବାଳମୁକୁନ୍ଦଙ୍କୁ ଏହି ବଟବୃକ୍ଷ ନିକଟରେ ବଟପତ୍ରରେ ଶୟନ କରିଥିବାର ଦର୍ଶନ କରିଥିଲେ। ପ୍ରଭୁଙ୍କ ଆଦେଶରେ ତାଙ୍କ ଗର୍ଭରେ ପ୍ରବେଶ କରି ବିଶ୍ବବ୍ରହ୍ମାଣ୍ଡ ଦର୍ଶନ କରିଥିଲେ। ଏହି ପବିତ୍ର ବୃକ୍ଷର ସୃଷ୍ଟି ଓ ବିଲୟ ବିଷୟରେ କେବଳ ମହାପ୍ରଭୁଙ୍କୁ ହିଁ ଜଣା। କଳ୍ପବଟ ଏକ ମନୋବାଞ୍ଛା ପୂରଣ କାରୀ ମହାନ୍ ବୃକ୍ଷ। ଭକ୍ତ ମନରେ ଯାହା ଚିନ୍ତାକରି ଏଥିରେ ଗୋଡ଼ିଟିଏ ବାନ୍ଧିଦେଲେ ମନ ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକକଥା ପ୍ରଚଳିତ ଅଛି।