ପୁରୀ: ଆସିଲା ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ପ୍ରଶାସନକୁ ସର୍ଭେ ରିପୋର୍ଟ ହସ୍ତଗତ ହୋଇଥିବା ଏକ୍ସରେ ଶନିବାର ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ ସର୍ଭେ ହୋଇଥିଲା।
ଏକ୍ସରେ ପୋଷ୍ଟ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି । ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ।
ସୂଚନାଯୋଗ୍ୟ, ଲଗାତର ଦୁଇ ଦିନ ଧରି ସେପ୍ଟେମ୍ବର ୨୧ ଓ ୨୨ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାମ ସରିଥିଲା। ୩ ଟି ଆଣ୍ଟିନା ମାଧ୍ୟମରେ ରତ୍ନଭଣ୍ଡାରର ସର୍ଭେ କରାଯାଇ ଡାଟା ଜେନେରେଟ୍ କରିଥିଲା NGRI ଟିମ୍ । ଭର୍ଟିକାଲ ଓ ହୋରାଇଯେଣ୍ଟାଲ ସର୍ଭେ କରାଯାଇ ବିଭିନ୍ନ ଡାଟା ସଂଗ୍ରହ କରିଥିଲେ ଏନ୍ ଜି ଆର୍ ଆଇ ବୈଜ୍ଞାନିକ । ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଥିଲା।
ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ନଥିବା ନଭେମ୍ବର ୧ ତାରିଖରେ ସ୍ପଷ୍ଟ କରିଥିଲେ ଆଇନ ମନ୍ତ୍ରୀ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡଙ୍ଗ ବା ଗୁପ୍ତ କୋଠରୀ ନ ଥିବା ଜଣା ପଡିଥିଲା। ତେବେ ରତ୍ନଭଣ୍ଡାରରେ ଫାଟ ରହିଛି । କାର୍ତ୍ତିକ ପରେ ଏଏସଆଇ ଏହାର ମରାମତି କରିବ । ଏହା ପରେ ଅଳଙ୍କାରର ଗଣତି କରାଯିବ ବୋଲି ଆଇନ ମନ୍ତ୍ରୀ କହିଥିଲେ।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତି ସରିଥିବା କହିଥିଲେ। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ଏସଓପି ଗୋପନୀୟ ରଖାଯିବ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ମଧ୍ୟ ଜଷ୍ଟିସ୍ ରଥ କହିଥିଲେ।