ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଥଣ୍ଡା ପୁଣି ବଢ଼ିବ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ । ଏବେ ପାରଦ ଉପରମୁହାଁ ଥିବାରୁ ଅନେକ ସ୍ଥାନରେ ଥଣ୍ଡା କିଛିମାତ୍ରାରେ କମିଛି । କିନ୍ତୁ ୨ଦିନ ପରେ ଥଣ୍ଡା ପୁଣି ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨ ଓ ୩ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ଉପରେ ରହିବ। ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ମଙ୍ଗଳବାର ଓ ବୁଧବାର ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ମଙ୍ଗଳବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ । ବୁଧବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସମେତ କୋରାପୁଟ ଓ ଅନୁଗୁଳର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ।
ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୧.୫ ଡିଗ୍ରୀ ଅନୁଭୂତ ହୋଇଛି। ଜି.ଉଦୟଗିରିରେ ୧୨.୪, ଝାରସୁଗୁଡ଼ାରେ ୧୩.୭, ବୌଦ୍ଧରେ ୧୩.୮, କେନ୍ଦୁଝର ଓ ଫୁଲବାଣୀରେ ୧୪, ରାଉରକେଲାରେ ୧୪.୫, ଢେଙ୍କାନାଳ ଓ ଅନୁଗୁଳରେ ୧୪.୬, ଝାରସୁଗୁଡ଼ାରେ ୧୩.୭, ଭଦ୍ରକରେ ୧୪, କଟକରେ ୧୫, ବଲାଙ୍ଗିରରେ ୧୫.୨, ସୁନ୍ଦରଗଡ଼ରେ ୧୫.୪, ନୂଆପଡ଼ା ଓ ନବରଙ୍ଗପୁରରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି। ଫୁଲବାଣୀରେ ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୪.୨, ବଲାଙ୍ଗିରରେ ୨.୬, ସୁନ୍ଦରଗଡ଼ରେ ୨.୪ ଓ କେନ୍ଦୁଝରରେ ୧.୧ ଡିଗ୍ରୀ ଅଧିକ ରେକର୍ଡ ହୋଇଛି।