ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୯ ସୁଦ୍ଧା ଚାଷୀଙ୍କ ତଥ୍ୟ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ନଭେମ୍ବର ପ୍ରଥମ ସପ୍ତାହରୁ ସରକାର ଧାନ କିଣିବେ। ୨୦୨୬ ମାର୍ଚ୍ଚ ୩୧ ତାରିଖରୁ ଧାନ କିଣା ସରିବ ବୋଲି ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ଜାରି ରହିଛି। ସମସ୍ତ ବର୍ଗର ଚାଷୀ, ପିଏମ କିଷାନ ହିତାଧିକାରୀ ଏଥିରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ ରହିଛି। ପଞ୍ଜୀକୃତ ହୋଇ ନ ଥିବା ଚାଷୀ ପିଏମ୍ କିଷାନ ଯୋଜନାରୁ ବଞ୍ଚିତ ହୋଇପାରନ୍ତି ବୋଲି ରାଜ୍ୟ କୃଷି ବିଭାଗ କହିଛି। ତେଣୁ କୌଣସି ଚାଷୀ ପଞ୍ଜୀକରଣରୁ ଯେପରି ବାଦ୍ ନ ପଡ଼ନ୍ତି ତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ପଞ୍ଜୀକରଣ କରିବା ପାଇଁ ଆଧାରକାର୍ଡ, ଆଧାରରେ ଥିବା ମୋବାଇଲ ନମ୍ବର, ଏଥିସହ ନିଜ ନାଁରେ ଥିବା ଜମି ପଟ୍ଟା ରହିବା ଆବଶ୍ୟକ। ଧାନରେ ୮୦୦ ଟଙ୍କାର ଅଧିକ ଇନ୍ପୁଟ୍ ସବ୍ସିଡି ଦେଉଛନ୍ତି ସରକାର । ଏଥିପାଇଁ ଚାଷୀ ଅଧିକରୁ ଅଧିକ ଧାନ ମଣ୍ଡିରେ ବିକିବାକୁ ଅପେକ୍ଷା କରୁଛନ୍ତି ।
କେମିତି କରିବେ ପଞ୍ଜୀକରଣ
- ଆଜିଠୁ (୧୯ ଜୁଲାଇରୁ) ଅଗଷ୍ଟ ୨୦ ତାରିଖ ଯାଏଁ ସମିତି କାର୍ଯ୍ୟାଳୟରେ ଆବେଦନ କରିହେବ
- ପଞ୍ଜୀକରଣ ଫର୍ମ ସହିତ ଆଧାର କାର୍ଡର ଜେରକ୍ସ ଏବଂ ମୋବାଇଲ ଫୋନ୍ ନମ୍ବର ଦେବାକୁ ହେବ
- ଜମିପଟ୍ଟା ଖତିୟାନା ଦେଖାଇବାକୁ ହେବ
- ଭାଗଚାଷୀ ପାଇଁ ଜମିମାଲିକଙ୍କ ସହମତି ପତ୍ର ଥିବା ଆବଶ୍ୟକ
- ଚାଷୀ ପଞ୍ଜୀକରଣ ସମୟରେ ଆଧାର ଭିତ୍ତିକ ଇ-କେୱାଇସି ଦରକାର
- କେଉଁ ମାସ ଓ ପକ୍ଷରେ ଧାନବିକ୍ରି କରିବେ, ପଞ୍ଜୀକରଣ ଫର୍ମରେ ଦର୍ଶାଇବେ
- କୌଣସି ଅଭିଯୋଗ ଥିଲେ ୧୯୬୭ ନମ୍ବରରେ ଯୋଗାଯୋଗ କରିପାରିବେ