ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ ବିଜେପିର ବାଜିମାତ। କଂଗ୍ରେସ ଓ ବିଜେଡିକୁ ବହୁ ପଛରେ ପକାଇଲା ବିଜେପି। ବାପାଙ୍କୁ ପଛରେ ପକାଇଲେ ପୁଅ । ରାଜେନ୍ଦ୍ର ଢୋଲକିଆଙ୍କୁ ଟପିଲେ ଜୟ ଢୋଲକିଆ । ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ । ହେଲେ ଉପ ନିର୍ବାଚନରେ କିନ୍ତୁ ତାଙ୍କ ପୁଅ ଜୟ ଢୋଲକିଆ ବାପାଙ୍କୁ ଟପି ୧୭ ରାଉଣ୍ଡ ସୁଦ୍ଧା ୮୩,୫୭୨ ଭୋଟ୍ ର୍ ଆଗୁଆ ରହିଛନ୍ତି ।
ତେବେ ଫଳାଫଳ ଘୋଷଣା ଆଗରୁ ଉପମୁଖ୍ୟମନ୍ତ୍ରୀ ନୂଆପଡ଼ା ବାସୀ ଏବଂ ସୁଭଦ୍ରା ଭଉଣୀ ମାନଙ୍କୁ ଧନ୍ଯବାଦ ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ' ନମସ୍କାର ନୂଆପଡା। ମୋର ସମସ୍ତ ସୁଭଦ୍ରା ଭଉଣୀମାନଙ୍କୁ ଧନ୍ୟବାଦ। ଆପଣମାନେ ଅନେକ ଗପର ଶେଷ ଅଧ୍ୟାୟ ଲେଖିଦେଲେ।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କର ବିଶାଳ ବିଜୟ ସ୍ପଷ୍ଟ ହୋଇଯାଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦିଗ୍ଦର୍ଶନରେ ଡବଲ୍ ଇଞ୍ଜିନ୍ ସରକାରଙ୍କର ଓଡ଼ିଶା ପ୍ରତି, ବିଶେଷକରି ନୂଆପଡ଼ାର ବିକାଶ ପ୍ରତି ନିରନ୍ତର ଗୁରୁତ୍ୱ, ଏହି ଜନାଦେଶରେ ପ୍ରତିଫଳିତ ହୋଇଛି। ନୂଆପଡ଼ାବାସୀ ବିଜେଡି ଓ କଂଗ୍ରେସ୍ ନେତାଙ୍କର ମନଗଢ଼ା କଥା ଓ ମିଥ୍ୟା ପ୍ରତିଶ୍ରୁତିରେ ବିଶ୍ୱାସ କରିନାହାନ୍ତି, ବରଂ ସେମାନେ ବିଜେପିର ବିକାଶକୁ ବାଛିଛନ୍ତି।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିକୁ ଏବଂ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଅକୁଣ୍ଠିତ ସମର୍ଥନ ଦେଇଥିବା ପ୍ରତି ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଆମ ସରକାର 'ମହିଳା ସଶକ୍ତିକରଣ'କୁ କେବଳ କଥାରେ ସୀମିତ ନରଖି ଏହାକୁ ବାସ୍ତବ ରୂପ ଦେଇଛନ୍ତି ଏବଂ ସୁଭଦ୍ରା ଭଉଣୀମାନଙ୍କ ଉଦ୍ୟୋଗୀ ଓ ଲକ୍ଷପତି ଦିଦି ହେବାର ସ୍ୱପ୍ନକୁ ପୂରଣ କରୁଛନ୍ତି । ଗତ ଉପ-ନିର୍ବାଚନରେ ସୁଭଦ୍ରା ଭଉଣୀମାନଙ୍କ ଅଜସ୍ର ସମର୍ଥନ ପାଇଁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଉଛି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।