ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହି ଘଟଣାକୁ ନଜରରେ ରଖି ସତର୍କ ହୋଇଛି ଓଡିଶା ଅଗ୍ନିଶମ ବିଭାଗ । ରାଜ୍ୟରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଅଟ୍ଟାଳିକା ସମେତ ଶିକ୍ଷାନୁଷ୍ଠାନ ଭଳି ବହୁ କୋଠାଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଦେଇଛି ଅଗ୍ନିଶମ ବିଭାଗ ।
ତେବେ ରବିବାର କଟକର ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚି ସେଠାକାର ଅଗ୍ନି ନିରାପତ୍ତା ଯାଞ୍ଚ କରିବା ସହ ଅଗ୍ନି ନିରାପତ୍ତା ସମ୍ପର୍କିତ ବିଭିନ୍ନ ଉପକରଣକୁ ଯାଞ୍ଚ କରି ହସ୍ପିଟାଲ କର୍ମଚାରୀଙ୍କ ଅଭିଜ୍ଞତାକୁ ମଧ୍ୟ ପରଖିଛନ୍ତି ଟିମ ।
ସେହିପରି ଶନିବାର ଅଗ୍ନି ନିରାପତ୍ତା ନିୟମକୁ କଡାକଡି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ଅଗ୍ନିଶମ ଡିଜିଙ୍କ ଚିଠି । ଓଡିଶା ଅଗ୍ନିଶମ ନିରାପତ୍ତା ନିୟମ-୨୦୧୭କୁ କଡାକଡି ଲାଗୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ହୋଟେଲ, ଲଜିଂ, ସିନେମା ହଲ୍ ଓ ଅତିଥି ଭବନ ଉପରେ ନିଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କୋଠା, ମଲଟି ପ୍ଲେକ୍ସ ଏବଂ ଉଚ୍ଚ ଅଟ୍ଟାଳିକା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବଡ ବଡ ଅଟ୍ଟାଳିକାରେ ଫାୟାର ସେପ୍ଟି, ସୁପରଭାଇଜର ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ ନିଆଯିବ ପଦକ୍ଷେପ । ପ୍ରମାଣପତ୍ରର ନକଲ ବିଭାଗ ପାଖରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସବୁ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍ଡିଂର ଅଡିଟ ପାଇଁ ନିର୍ଦ୍ଦେଶ ରହିଛି । ମେ ୨୧ ତାରିଖ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨କୁ କଲ କରି ସୂଚନା ଦେଇପାରିବେ ।