ଭୁବନେଶ୍ଵର : ପିପିଲି ବଳଙ୍ଗାରେ ନାବାଳିକାଙ୍କୁ ନିଆଁ ଲଗାଇଦେବା ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ । ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ । ଅପରାଧୀ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ଆମେ ଚେଷ୍ଟା କରିବୁ ।ଏମ୍ସରେ ଚିକିତ୍ସିତ ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମନମୋହନ ସାମଲ ।
ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ସକାଳେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ।