ଭୁୁବନେଶ୍ୱର: ରାଜ୍ୟରେ ଗୋଟିଏ ସପ୍ତାହ ଭିତରେ ମହିଳା ବିରୋଧୀ ହିଂସାର ଦୁଇ ଦୁଇଟି ଘଟଣା ଘଟିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରାଜ୍ୟ ସରକାର ଶନିବାର ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖୁବ ଶୀଘ୍ର ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚଲାଯିବ ।
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ”କୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମ୍ବନ୍ଧୀୟ ଘୋଷଣା ଆଜି ରାଜ୍ୟ ସରକାରଙ୍କ ତରଫରୁ କରାଯାଇଛି । ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରିବ।
ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ "ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର\"ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା "ଶକ୍ତିଶ୍ରୀ ସଂଯୋଜିକା" ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ବିଶିଷ୍ଟ ରତ ମହିଳା "ଶକ୍ତି ଅପା" ଭାବରେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ ।
ପ୍ରତି ୩ ମାସରେ ଥରେ “ଶକ୍ତି ଅପା”ମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଏକ "୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ"ର ଆୟୋଜନ କରାଯିବ । ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ସମ୍ବନ୍ଧରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ। ଡିଜିଟାଲ ସୁରକ୍ଷାର ବିଭିନ୍ନ ଦିଗକୁ ନେଇ ସଚେତନ କରାଯିବ।