ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ସନ୍ଧ୍ୟା ସମୟରେ ପ୍ରାୟ ୪ ଘଣ୍ଟା ଦର୍ଶନ କଟକଣା ରହିବାର ସମ୍ଭାବନା ରହିଛି ।
ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ଏହି ସେବା ଦ୍ୱାରା ଠାକୁରଙ୍କ ଶ୍ରୀଅଙ୍ଗର ଅପୂର୍ବ ଶୋଭାବର୍ଦ୍ଧନ ହୋଇଥାଏ । ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ । ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ହିଙ୍ଗୁଳ,ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି । ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ସେଗୁଡିକ ହେଲା କଳା, ଧଳା, ନାଲି ଓ ହଳଦିଆ । ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ ଅଟେ । ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର କରାଯାଏ । ହରିତାଳ ଲାଲ ରଙ୍ଗ ପାଇଁ ଆବଶ୍ୟକ ହୋଇଥାଏ ।
ତେବେ ଏହି ନୀତିକୁ ଚାହିଁ ଭକ୍ତମାନଙ୍କୁ ଦର୍ଶନ ପାଇଁ କଟକଣା ସମୟ ରହିବ ।ମହାପ୍ରଭୁଙ୍କ ବନକ ଲାଗି ନୀତି ସମାପନ ହେବା ପରେ ଦର୍ଶନ ସ୍ୱାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।