ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାର ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ସୋସିଆଲ ମିଡ଼ିଆ 'ଏକ୍ସ'ରେ ଲେଖିଛନ୍ତି ଯେ, " ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାରେ ତ୍ୱରିତ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କୁ ଧନ୍ୟବାଦ ଜଣାଉଛି । ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି "।
ସୂଚନା ଅନୁସାରେ, ଗତକାଲି (ଶନିବାର) ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଇଥିଲା । ଉତ୍ତମ ଚିକିତ୍ସା ପାଇଁ ନାବାଳିକାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ।