ବରଗଡ଼ : ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୧୧ ଦିନ ଧରି ଏହି ମହୋତ୍ସବ ଚାଲିବ । ଡ଼ିସେମ୍ବର ମାସ ୨୪ରୁ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ନଭେମ୍ବର ୧୫ ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ । ଦୀର୍ଘ ୩ଦିନ ଧରି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଚୟନ ଅନୁଷ୍ଠିତ ହେବ । ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟ୍ ସୁଦ୍ଧା ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ୧୫ ତାରିଖ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଏବଂ ଉଗ୍ରସେନ, ୧୬ ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ କଂସ ମହାରାଜ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ । କଂସ ମହାରାଜ ଚରିତ୍ରରେ ୪୪ ଜଣ , ମହାମନ୍ତ୍ରୀରେ ୩୩ ଜଣ , ସେନାପତିରେ ୭୪, ଦେବକୀରେ ୧୪, ନାରଦରେ ୨୦, ଚାଣୁରରେ ୧୭, ସାର୍ତ୍ତକିରେ ୧୦, ମୁଷ୍ଟିକରେ ୧୮, ବସୁଦେବରେ ୩୦, ଅକ୍ରୁରରେ ୨୦, ଉଗ୍ରସେନରେ ୧୧ ତଥା ସମୁଦାୟ ୨୯୧ କଳାକାର ଚୟନରେ ଅଂଶଗ୍ରହଣ କରିବେ ।