ଭୁବନେଶ୍ୱର: ଓଡିଶାରେ ସକ୍ରିୟ ହୋଇଛି ମୌସୁମୀ । ଆସନ୍ତା ୨୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ ତାରିଖରୁ ବର୍ଷା ଆହୁରି ବଢ଼ିବ। ୨୬ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଲଘୁଚାପ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ ତାରିଖ ଅପରାହ୍ନରୁ ୨୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୪ ଓ ୨୫ ତାରିଖରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଆଜି ମାଲାକାନିଗିର, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ରହିବ । ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଚେତାବନୀ ଜାରି କରିଛି । ସେପଟେ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ହହୋଇଥିବା ସବୁ ଜିଲ୍ଲାରେ ପବନର ବେଗ ୩୦-୪୦ କିମି ରହିବ ।
ସେପଟେ ଆସନ୍ତାକାଲି ୨୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ରହିବ । ଏଥିପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ପାଇଁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବାନୀ ଜାରି କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମଧ୍ୟ ଆଗକୁ ଲଘୁଚାପ ନେଇ ପୂର୍ବାନୁମାନ କରିଛି। ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି। ୨୦ ତାରିଖରୁ ୨୪ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।