ଭୁବନେଶ୍ୱର : ଓଡ଼ିଶା ପ୍ରସିଦ୍ଧ ପାହାଳ ରସଗୋଲାର ସ୍ବାଦ ଚାଖି ଖୁସିରେ ବିଭୋର ହେଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ।
ସୋମବାର କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିବା ବାଟରେ କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର ପାହାଳ ମିଠା ବଜାରରେ ଅଟକିଥିଲା। ଏହାପରେ ଉଭୟ କାରରୁ ଓହ୍ଲାଇ ସିଧା ମା’ ତାରିଣୀ ମିଷ୍ଟାନ୍ନ ଭଣ୍ଡାରକୁ ଯାଇଥିଲେ। ସେଠାରେ ଥିବା ପ୍ଲାଷ୍ଟିକ ଚେୟାରରେ ଉଭୟ ସାଧାରଣ ଲୋକଙ୍କ ପରି ବସି ମାଲିକଙ୍କୁ ପାଖକୁ ଡାକିଥିଲେ। ମାଲିକ ଆଲୋକ ଓ ତାଙ୍କ ଭଣଜା ଦେବୀ ପ୍ରସାଦ ପ୍ଲେଟ୍ରେ ଗୋଟିଏ ଲେଖାଏଁ ଗରମ ରସଗୋଲା ଖାଇବାକୁ ଦେଇଥିଲେ। ରସଗୋଲା ସହିତ କିଛି ଛେନା ମଧ୍ଯ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଖାଇଥିଲେ। ମିଠା ଖାଇସାରିବା ପରେ ରସଗୋଲାର ଭୁରି ଭୁରି ପ୍ରଶଂସା କରିବା ସହ ଭଲ ଟେଷ୍ଟି ଓ ସଫ୍ଟ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଚୌହ୍ବାନ କହିଥିଲେ । ଏହାପରେ ପ୍ରାୟ ୧ ହଜାର ଟଙ୍କାର ରସଗୋଲା ଓ ଛେନାଗଜା ପାର୍ସଲ ଆକାରରେ ନେଇଥିଲେ।
ତେବେ କେନ୍ଦ୍ରମନ୍ତ୍ରୀ ନିଜ ଏକ୍ସ ହ୍ୟାଣ୍ଡଲରେ ଏହାର ଏକ ଭିଡିଓ ପୋଷ୍ଟ କରିବା ସହିତ ଏହାର ସ୍ବାଦ ଅତୁଳନୀୟ ବୋଲି କହିଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମଧ୍ୟ ପାହାଳ ରସଗୋଲାର ପ୍ରଶଂସା କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।