ଗୋଟିଏ କି ଦୁଇପ୍ରକାର ନୁହେଁ, ରନ୍ଧା ହୋଇଛି ଭଳିକି ଭଳି 821 ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ। ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି 821 ପ୍ରକାର ସୁସ୍ୱାଦ୍ୟ ବ୍ୟଞ୍ଜନ | ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ରାଧାକୃଷ୍ଣଙ୍କ ନିକଟରେ ଭୋଗ କରାଯାଇଛି ଏହି ସବୁ ବ୍ୟଞ୍ଜନ | ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ ରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଅନେକ ଶ୍ରଦ୍ଧାଳୁ। ଏଥିପାଇଁ ଗୌରବିହାର ମଠରେ ଦିନ ତମାମ ଲାଗିରହିଥିଲା ଗହଳି। ଏସବୁ ମଧ୍ୟରେ ରହିଥିଲା ସାଧା, ମିଠା କାନିକା, ଖେଚେଡ଼ି ଓ ଘିଅ ଅନ୍ନ ପରି 21 ପ୍ରକାର ଅନ୍ନ ବ୍ୟଞ୍ଜନ । 17 ପ୍ରକାର ଖିରି । 126 ପ୍ରକାର ତରକାରି । 161 ପ୍ରକାର ଚଟଣି । 50 ପ୍ରକାରର ସାଗ-ମୁଗ । 108 ପ୍ରକାରର ଭଜା । ବିଭିନ୍ନ ପ୍ରକାରର ବଡ଼ି ଓ ପାମ୍ପଡ ଇତ୍ୟାଦି ।
ଦୀର୍ଘବର୍ଷ ଧରି ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇ ଆସୁଛି। ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ବିଶେଷ କରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ। ଦ୍ୱାପର ଯୁଗରେ ମା ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବୈଷ୍ଣବ ଗୌଡ଼ୀୟ ମାନେ।