ଭୁବନେଶ୍ୱର: ସୁଭଦ୍ରା ଯୋଜନା ଆବେଦନ କରିବାବେଳେ ପୋର୍ଟାଲରେ ଯେଉଁମାନେ ଭୁଲରେ ନାମ ବାଦ (OPT OUT) କରି ବାଦ ପଡ଼ିଥିଲେ ସେମାନଙ୍କୁ ପୁନଃ ସୁଯୋଗ ମିଳିଛି । ନାମ ଯୋଡ଼ିବାକୁ (OPT IN) ସୁବିଧା ଉପଲବ୍ଧ ହୋଇଛି । ଏହା ଦ୍ୱାରା ବାଦ ପଡ଼ିଥିବା ପ୍ରାୟ ୮୦୦୦ରୁ ଅଧିକ ଆବେଦନକାରୀଙ୍କୁ ସୁଭଦ୍ରାରେ ପୁନଃ ସାମିଲ କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୁଭଦ୍ରା ପାଇଁ ପୋର୍ଟାଲରେ ଆବେଦନ କରିବା ବେଳେ ଅନେକ ହିତାଧିକାରୀ ଭୁଲରେ ନାମ ବାଦ (OPT OUT) କରି ଏହି ଯୋଜନାକୁ ବାଦ୍ ପଡ଼ିଥିଲେ । ସେମାନଙ୍କ ସରକାର ପୁଣି ସୁଯୋଗ ଦେଇଛନ୍ତି । ନାମ ଯୋଡ଼ିବାକୁ (OPT IN) ସୁବିଧା ଉପଲବ୍ଧ ହୋଇଛି ।
ସେହିପରି ଖୁବ ଶୀଘ୍ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ମାତ୍ର ଏବେ ବି ୨ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କର ଇ-କେୱାଇସି (E-KYC) କରି ନାହାଁନ୍ତି କିମ୍ବା ଓଟିପି ମାଧ୍ୟମରେ ଇ-କେୱାଇସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ-କେୱାଇସି କରି ନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।