ଝାରସୁଗୁଡ଼ା: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ନୂଆଡିହି ଗ୍ରାମରେ ଏକାଦଶ ଭୋଜି ଖାଇ ୧୭ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣଙ୍କର ହେମଗିରି ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କର ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ନୂଆଡିହି ଗ୍ରାମରେ ମୃତ୍ୟୁ ହୋଇଛି । ସୁନାଖାଏନ ଗାଁର ଦୁଇ ମୃତକ ହେଲେ ସୁକାନ୍ତି ଖଡିଆ ଏବଂ ଉଲ୍ଲାସ ଖଡିଆ। ନୂଆଡିହି ଗ୍ରାମର ଦୁଇ ମୃତକ ହେଲେ ମଙ୍ଗଳ ସାଇ ନାଏକ ଏବଂ ରଇବାରି ପ୍ରଧାନ।
ଗତ ଗୁରୁବାର ଦିନ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଅତାବିରା ପଞ୍ଚାୟତର ସୁନାଖାଏନ ଗାଁର ଏକ ପରିବାର ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର ନୂଆଡିହି ଗ୍ରାମକୁ ଏକ ଏକାଦଶ କର୍ମରେ ଯୋଗ ଦେବାକୁ ଯାଇଥିଲେ । ଏକଦଶାହ କାମ ସରିବା ପରେ କିଛି ଲୋକେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତୁରନ୍ତ ୧୩ ଜଣଙ୍କୁ ହେମଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏହା ପରେ ଆଉ ୪ ଜଣଙ୍କୁ ରାତିରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାବେଳେ ସେପଟେ ନୂଆଡିହି ଗ୍ରାମରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ୩ ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁରେଶଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଗତକାଲିଠାରୁ ଏକ ଡାକ୍ତରୀ ଦଳ ଗ୍ରାମରେ ପହଁଚି ସ୍ଥିତି ଉପରେ ନଜର ରଖିବା ସହିତ ଲୋକଙ୍କୁ ସଚେତନ କରିଛନ୍ତି । ହେମଗିରି ଡାକ୍ତରଖାନା ଇନଚାର୍ଜ କହିଛନ୍ତି ଯେ ଏକାଦଶାହରେ ସମସ୍ତେ ଖରାବେଳେ ଆମିଷ ଭୋଜନ କରିବା ସହିତ ରାତିରେ ମଧ୍ୟ ଚିକେନ୍ ଖାଇଥିଲେ । ଏହା ପରେ କିଛି ଲୋକେ ଆକ୍ରାନ୍ତ ହେବା ସହିତ ଗୋଟିଏ ପୋଖରୀ ପାଣି ସମସ୍ତ ବ୍ୟବହାର କରିବା ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା । ତେବେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।