ଟେଷ୍ଟରେ ୩୫୦ ଓ୍ଵିକେଟ୍ ପୂରଣ କଲେ ଅଶ୍ଵିନ, ହେଲେ ବିଶ୍ଵ ରେକର୍ଡର ସମକକ୍ଷ
Khabar Odisha:sports-cricket-odisha-india-and-south-africa-seriesindia-vs-south-africa-ravichandran-ashwin-equalize-muralitharan-s-test-record
ବିଶାଖାପାଟଣା,ଅକ୍ଟୋବର୦୬(ଖବର ଓଡ଼ିଶା):

ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଟେଷ୍ଟ କ୍ରିକେଟରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ମିଳିତ ଭାବେ ସବୁଠୁ କମ ମ୍ୟାଚରେ ୩୫୦ ଓ୍ଵିକେଟ୍ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟର ପଞ୍ଚମ ଦିନରେ ଅଶ୍ଵିନ ଥ୍ୟୁନିସ୍ ଡେ ବ୍ରୁୟନଙ୍କୁ ଆଉଟ୍ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଏହା ସହିତ ସବୁଠୁ କମ ମ୍ୟାଚ୍ ୬୬ଟି ଟେଷ୍ଟରେ ୩୫୦ ଓ୍ଵିକେଟ୍ ନେବାରେ ମହାନ ବୋଲର ମୁଥେୟା ମୁରଲୀଧରଣଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଶ୍ରୀଲଙ୍କାର ଏହି ମହାନ ବୋଲର ମଧ୍ୟ ୬୬ଟି ଟେଷ୍ଟରେ ଏହି ରେକର୍ଡ ହାସଲ କରିଥିଲେ। ମୁରଲୀ ୨୦୦୧ ସେପ୍ଟେମ୍ବର ୬ରେ କଲୋମ୍ବୋରେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ୩୫୦ ଓ୍ଵିକେଟ୍ ପୂରଣ କରିଥିଲେ। 

ଅଶ୍ଵିନଙ୍କୁ ଦରକାର ଥିଲା ୮ ଓ୍ଵିକେଟ୍ 

ଅଶ୍ଵିନ ଏହି ମ୍ୟାଚ୍ ପୂର୍ବରୁ ୩୫୦ ଓ୍ଵିକେଟ୍ ହାସଲ ପାଇଁ ୮ଟି ଓ୍ଵିକେଟ୍ ଦୂରରେ ଥିଲେ। ମ୍ୟାଚର ପ୍ରଥମ ଇନିଂସରେ ସେ ୭ ଓ୍ଵିକେଟ୍ ନେଇଥିଲେ। ମ୍ୟାଚର ପଞ୍ଚମ ଦିନରେ ସେ ବ୍ରୁୟନଙ୍କୁ କ୍ଲିନ ବୋଲ୍ଡ କରି ବିଶ୍ଵ ରେକର୍ଡର ସମକକ୍ଷ ହୋଇଛନ୍ତି। 

କୁମ୍ବଲେଙ୍କ ନାମରେ ଥିଲା ଏହି ରେକର୍ଡ

ଭାରତ ପକ୍ଷରୁ ସବୁଠୁ କମ ଟେଷ୍ଟରେ ୩୫୦ ଓ୍ଵିକେଟ୍ ହାସଲ କରିବାର ରେକର୍ଡ ଅନିଲ କୁମ୍ବଲେଙ୍କ ନାମରେ ଥିଲା। ସେ ୭୭ ତମ ଟେଷ୍ଟରେ ୨୦୦୩ ଅକ୍ଟୋବର ୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୫୦ ଓ୍ଵିକେଟ୍ ପୂରା କରିଥିଲେ। ହରଭଜନ ସିଂହ ୮୩ ଏବଂ କପିଲ ଦେବ ୧୦୦ ଟି ଟେଷ୍ଟରେ ୩୫୦ ଓ୍ଵିକେଟ୍ ପୂରଣ କରିଥିଲେ। 

ଟେଷ୍ଟ କ୍ୟାରିୟରରେ ୩୫୦ ଓ୍ଵିକେଟ୍ ନେବାରେ ଅଶ୍ଵିନ ହେଉଛନ୍ତି ଚତୁର୍ଥ ଭାରତୀୟ ବୋଲର। ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ଅନିଲ କୁମ୍ଵଲେ(୬୧୯) ନେଇଛନ୍ତି। ଏହା ପରେ କପିଲ ଦେବ(୪୩୪) ଓ ହରଭଜନ ସିଂହ(୪୧୭) ସାମିଲ।

Subscribe

National International State Sports Entertainment