ନିଜ ଖେଳ ଜରିଆରେ ଉଠୁଥିବା ପ୍ରଶ୍ନର ଜବାବ ଦେଲେ ରୋହିତ ଓ ଅଶ୍ଵିନ
Khabar Odisha:sports--cricket--odisha--india-vs-south-africa-rohit-sharma-and-ravichandran-ashwin-performed-quite-well-in-visakhapatnam-test
ବିଶାଖାପାଟଣା, ଅକ୍ଟୋବର ୦୭ (ଖବର ଓଡିଶା):

ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ଏବଂ ପୁଣି ଏହା ଜରିଆରେ ନିଜକୁ ସାବ୍ୟସ୍ତ କରିବାର କଳା କେବଳ ବଡ଼ ଖେଳାଳିଙ୍କ ପାଖରେ ଦେଖିବାକୁ ମିଳିଥାଏ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ଦୁଇ ଖେଳାଳି ଏମିତି ହିଁ  କିଛି କରି ଦେଖାଇଛନ୍ତି। ଏହି ଦୁଇ ଖେଳାଳି ହେଉଛନ୍ତି ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ଵିନ। ବିଶାଖାପାଟଣାରେ ଭାରତର ୨୦୩ ରନ ବିଜୟରେ ରୋହିତ ଉଭୟ ଇନିଂସରେ ଶତକ ଓ ଅଶ୍ଵିନ ୮ ଓ୍ଵିକେଟ୍ ନେଇଥିଲେ।

ଦିନିକିଆ ଓ ଟି-୨୦ରେ ଉପଅଧିନାୟକ ଥିବା ରୋହିତ ଶର୍ମା ଟେଷ୍ଟ ଦଳର ନିୟମିତ ସଦସ୍ୟ ନଥିଲେ। ସେ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଦଳ ସହିତ ଥିଲେ ମାତ୍ର ଚୂଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିନଥିଲା। ବିଶାଖାପାଟଣା ଟେଷ୍ଟରେ ଯେବେ ତାଙ୍କୁ ଓପନିଂ କରିବାକୁ ସୁଯୋଗ ଦିଆଯିବ ଖବର ଆସିଲା ଏହା ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଟେଷ୍ଟରେ ଓପନର ରୂପେ ଖେଳିବାର ଶୈଳୀ ନେଇ ପ୍ରଶ୍ନ ଉଠିବା ସହିତ ଲାଲ ବଲର କ୍ରିକେଟରେ ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରିବା ପାଇଁ କଣ ରୋହିତଙ୍କ ପାଖରେ ଏହା ଶେଷ ସୁଯୋଗ ବୋଲି ଚର୍ଚ୍ଚା ହେଉଥିଲା। ରୋହିତ ଟେଷ୍ଟରେ କେବେ ବି ଓପନିଂ କରିନଥିଲେ। ରୋହିତ ଏହି ସୁଯୋଗର ଭରପୂର ଫାଇଦା ଉଠାଇଥିଲେ ଏବଂ ଚମତ୍କାର ପ୍ରଦର୍ଶନ କଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୧୭୬ ରନ ପାଳି ଖେଳିଲେ। ଦ୍ଵିତୀୟ ଇନିଂସରେ ବି ୧୨୭ ରନର ଶତକୀୟ ପାଳି ଖେଳିଲେ। ଓପନର ଭାବେ ପ୍ରଥମ ଟେଷ୍ଟରେ ୩୦୦ରୁ ଅଧିକ ରନ କଲେ। ପୁଣି ରେକର୍ଡ ୧୩ ଛକା। ରୋହିତ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରି କ୍ରିଜରେ ଜମିଲେ ଏବଂ ସେଟ୍ ହେବା ପରେ ବିରୋଧୀ ବୋଲରଙ୍କ ଉପରେ ପ୍ରହାର କରିଥିଲେ। ବଡ଼ ଖେଳାଳି ସର୍ବଦା ଏହା ହିଁ କରିଥାନ୍ତି। ପାଖୁ ଆସିଥିବା ସୁଯୋଗକୁ ସେ ହାତଛଡ଼ା କରନ୍ତି ନାହିଁ।

ଅନ୍ୟପଟେ ଅଶ୍ଵିନଙ୍କ ଚଳିତ ବର୍ଷର ଏହା ପ୍ରଥମ ଟେଷ୍ଟ ଥିଲା। ଘରୋଇ ମାଟିରେ ହେଉଥିବା ଟେଷ୍ଟ ଶୃଙ୍ଖଳାରେ ସେ ମହତ୍ଵପୂର୍ଣ୍ଣ ଖେଳାଳି ଥିଲେ ମାତ୍ର ବିଦେଶ ଗସ୍ତରେ ତାଙ୍କ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା। ସେ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଗଲେ ମାତ୍ର ଖେଳିବାକୁ ସୁଯୋଗ ମିଳିନଥିଲା। ଭାରତର ଏହି ଏକ ନମ୍ବର ସ୍ପିନର ଧିମା ଓ ଟର୍ଣ୍ଣ ହେଉଥିବା ପିଚରେ ହେବାକୁ ଥିବା ମ୍ୟାଚରେ ମଧ୍ୟ ବେଞ୍ଚରେ ବସିଥିଲେ। ଅନିଲ କୁମ୍ବଲେଙ୍କ ପରି ମହାନ ସ୍ପିନର ଅଶ୍ଵିନଙ୍କୁ ବର୍ତ୍ତମାନ ସମୟର ଭାରତର ସର୍ବଶ୍ରେଷ୍ଠ ସ୍ପିନର କହିଛନ୍ତି। ମାତ୍ର ଇଣ୍ଡିଜ ବିପକ୍ଷ ଟେଷ୍ଟରେ ଜାଡ଼େଜାଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଇଥିଲା। 

ମାତ୍ର ବିଶାଖାପାଟଣା ଟେଷ୍ଟରେ ସୁଯୋଗ ମିଳିବା ମାତ୍ର ସେ ୮ ଓ୍ଵିକେଟ୍ ନେଇଥିଲେ। ଏହା ସହିତ ସବୁଠୁ କମ ୬୬ଟି ଟେଷ୍ଟ ମ୍ୟାଚରେ ୩୫୦ ଓ୍ଵିକେଟ୍ ପୂରଣ କରିବାରେ ମହାନ ବୋଲର ମୁଥୈୟା ମୁରଲୀଧରଣଙ୍କ ବିଶ୍ଵ ରେକର୍ଡର ସମକକ୍ଷ  ହୋଇଥିଲେ। କେବେ ଲେଗ୍ ସ୍ପିନ ତ କେବେ କ୍ୟାରମ ବଲ ଆଉ କେବେ ଗୁଗଲି। ଏବେ ଅଶ୍ଵିନ ଟେଷ୍ଟ କ୍ରିକେଟରେ ୩୫୦ ଓ୍ଵିକେଟ୍ ନେବାରେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି।

Subscribe

National International State Sports Entertainment