ରାହୁଲ, ରୋହିତ ଓ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଓ୍ଵେଷ୍ଟଇଣ୍ଡିଜକୁ ବିଶାଳ ୨୪୧ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ
Khabar Odisha:sports--cricket--odisha--india-gave-241-runs-target-to-westindies-in-3rd-T-20-match-in-mumbai
ମୁମ୍ବାଇ, ଡିସେମ୍ବର୧୧(ଖବର ଓଡ଼ିଶା):

 ମୁମ୍ବାଇର ଓ୍ଵାଙ୍ଖେଡ଼ାରେ ଖେଳାଯାଉଥିବା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ଗର୍ଜିଛି ଲୋକେଶ ରାହୁଲ, ରୋହିତ ଶର୍ମା ଓ ଅଧିନାୟକ କୋହଲିଙ୍କ ବ୍ୟାଟ୍।  ତିନି ବ୍ୟାଟସମ୍ୟାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଛି। ଲୋକେଶ ରାହୁଲ ୯୧(୫୬ବଲ), ରୋହିତ ଶର୍ମା ୭୧(୩୪ ବଲ) ଓ ବିରାଟ କୋହଲିଙ୍କ ୭୦(୨୯ ବଲ) ରନର ବିଧ୍ଵଂସ ପାଳି ବଳରେ ଭାରତ  ଟି-୨୦ ଅନ୍ତରାଷ୍ଟ୍ରୀୟରେ ନିଜର ତୃତୀୟ ସର୍ବୋଚ୍ଚ ସ୍କୋର କରିଛି। ତିନି ମ୍ୟାଚ୍ ବିଶିଷ୍ଟ  ଟି-୨୦ ଶୃଙ୍ଖଳା ୧-୧ ସମାନ ସ୍ଥିତିରେ ରହିଛି। ଏହି ଶୃଙ୍ଖଳା ଜିତିବାକୁ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ସମ୍ମୁଖରେ ୨୪୧ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦମଦାର ଆରମ୍ଭ ଦେଇଥିଲେ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ। ଉଭୟ ପ୍ରଥମ ଓଭରରୁ ହିଁ ଇଣ୍ଡିଜ ବୋଲରଙ୍କୁ ପ୍ରହାର କରିବା ଆରମ୍ଭ କରିଥିଲେ। ଫଳସ୍ଵରୂପ ୪ ଓଭରରେ ଭାରତ ୫୦ ରନ କରିଥିଲା।  ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ ଶର୍ମା ଟି-୨୦ କ୍ୟାରିୟରରେ ୧୯ତମ ଏବଂ ରାହୁଲ ଅଷ୍ଟମ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ୧୧.୪ ଓଭରରେ ଦୁଇ ବ୍ୟାଟସମ୍ୟାନ ଚୌକା ଓ ଛକା ବର୍ଷା କରି ପ୍ରଥମ ଓ୍ଵିକେଟ୍ ପାଇଁ ୧୩୫ ରନ ଯୋଡ଼ିଥିଲେ। ଏହି ସ୍କୋରରେ ଭାରତ ରୋହିତ ଶର୍ମାଙ୍କ  ଓ୍ଵିକେଟ୍ ହରାଇଥିଲା। ରୋହିତ ୩୪ ବଲରୁ ୬ ଚୌକା ଓ ୫ ଛକା ବଳରେ ୭୧ ରନ କରି ପାଭିଲିୟନ ଫେରିଥିଲେ। 

ଏହା ପରେ ଋଷଭ ପନ୍ତ ନିଜର ଖରାପ ଫର୍ମ ଜାରି ରଖି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ପନ୍ତଙ୍କ ପରେ କ୍ରିଜକୁ ଆସିବା  ମାତ୍ରେ ଅଧିନାୟକ କୋହଲି ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୫ ଓଭରରେ ଭାରତ ୨ ଓ୍ଵିକେଟରେ ୧୭୩ ରନ କରିଥିଲା। ଖାସ୍ କରି କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି କେବଳ ୨୧ଟି ବଲରୁ ଟି-୨୦ ଅନ୍ତରାଷ୍ଟ୍ରୀୟରେ ନିଜର ଦ୍ରୁତତମ ଅର୍ଦ୍ଧଶତକ  ହାସଲ କରିଥିଲେ। ଏହି ଫର୍ମାଟରେ କୋହଲିଙ୍କ ଏହା ହେଉଛି ୨୪ ତମ ଅର୍ଦ୍ଧଶତକ।  ଦମଦାର ବ୍ୟାଟିଂ କରି ଶତକ ଆଡ଼କୁ ଅଗ୍ରସର ରାହୁଲ ୫୬ ବଲରୁ ୯ ଚୌକା ଓ ୪ ଛକା ଜରିଆରେ ୯୧ ରନ କରିଥିଲେ। ରାହୁଲ ଓ କୋହଲି ତୃତୀୟ ଓ୍ଵିକେଟ୍ ପାଇଁ ୪୪ ବଲରୁ ୯୫ ରନ  ଯୋଡ଼ି ଦଳର ସ୍କୋରକୁ ୨୩୩ରେ ପହଞ୍ଚାଇଥିଲେ। କୋହଲି ବିଧ୍ଵଂସ ବ୍ୟାଟିଂ କରି ମାତ୍ର ୨୯ଟି ବଲରୁ ୪ ଚୌକା ଓ ୭ ଛକା ବଳରେ ୭୦ ରନ କରି ଅପରାଜିତ ଥିଲେ। ଶେଷ ପାଞ୍ଚ ଓଭରରେ ଭାରତ ୬୭ ରନ ଯୋଡ଼ିଥିଲା।ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଛି। ଏହା ଟି-୨୦ ଅନ୍ତରାଷ୍ଟ୍ରୀୟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। 

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କେସରିକ ଓ୍ଵିଲିୟମସନ, ସେଲଡ୍ରନ କୋଟ୍ରେଲ ଓ କିରଣ ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Subscribe

National International State Sports Entertainment