ଏକାକୀ ୬ ଭାରତୀୟ ଖେଳାଳିଙ୍କୁ ଆଉଟ୍ କରିଥିବା ଶ୍ରୀଲଙ୍କାର ଏହି ବୋଲରଙ୍କୁ ବାସନ୍ଦ କଲା ଆଇସିସି
Khabar Odisha:sports--cricket--odisha--icc-bans-akila-dananjaya-from-bowling-for-12-months-due-to-illegal-action
ଦୁବାଇ,ସେପ୍ଟେମ୍ବର୧୯(ଖବର ଓଡ଼ିଶା):

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ସନ୍ଦେହଜନକ ବୋଲିଂ ଶୈଳୀ କାରଣରୁ ଶ୍ରୀଲଙ୍କାର ସ୍ପିନର ଅକିଲା ଧନଞ୍ଜୟଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଗୋଟିଏ ବର୍ଷ ବାସନ୍ଦ କରିଛି। ଶ୍ରୀଲଙ୍କା ଟେଷ୍ଟ ଦଳର ନିୟମିତ ସଦସ୍ୟ ଅକିଲା ନିକଟରେ ଦଳ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ମୋଟ୍ ୬ଟି ଟେଷ୍ଟ ମ୍ୟାଚରେ ୩.୫୪ ହାରରେ ୩୩ ଓ୍ଵିକେଟ୍ ନେଇଥିବା ବେଳେ ୩୦ ଦିନିକିଆରେ ୪୬ ଓ ଓ ୧୬ଟି ଟି-୨୦ରେ ୧୪ ଓ୍ଵିକେଟ୍ ନେଇଥିଲେ। 

ଆଇସିସି ଧନଞ୍ଜୟଙ୍କୁ ତୁରନ୍ତ ପ୍ରଭାବରୁ ଗୋଟିଏ ବର୍ଷ ଯାଏ କ୍ରିକେଟରୁ ବାସନ୍ଦ କରିଛି। ଏବେ ଅକିଲା ୨୦୨୦ ଅଗଷ୍ଟ ୨୯ ଯାଏ ବୋଲିଂ କରି ପାରିବେ ନାହିଁ। ଫଳରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ନିଜର ଅଭିଯାନକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଥିବା ଶ୍ରୀଲଙ୍କା ପାଇଁ ଏହା ଏକ ବଡ଼ ଝଟକା  ହୋଇଛି। ଅକିଲା ଧନଞ୍ଜୟ ଦିନିକିଆରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମେତ ଛଅ ଭାରତୀୟ ଖେଳାଳିଙ୍କୁ ଆଉଟ୍ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। 

ଦୁଇ ବର୍ଷରେ ଦ୍ଵିତୀୟ ଥର ଲାଗିଲା ପ୍ରତିବନ୍ଧକ

୨୫ ବର୍ଷୀୟ ଶ୍ରୀଲଙ୍କାର ଅଫ ସ୍ପିନର ଅକିଲା ଧନଞ୍ଜୟଙ୍କ ଉପରେ ଦୁଇ ବର୍ଷରେ ଦ୍ଵିତୀୟ ଥର ସନ୍ଦେହଜନକ ବୋଲିଂ ଶୈଳୀ କାରଣରୁ ପ୍ରତିବନ୍ଧକ ଲାଗିଛି। ଏହା ପୂର୍ବରୁ ୨୦୧୮ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ସମୟରେ ମଧ୍ୟ ତାଙ୍କର ବୋଲିଂ ଶୈଳୀ ସନ୍ଦେହ ଘେରକୁ ଆସିଥିଲା। ପୁଣି ଥରେ ନ୍ୟୁଜିଲାଣ୍ଡ ବିପକ୍ଷ ଗଲ ଟେଷ୍ଟରେ ତାଙ୍କର ବୋଲିଂକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ପରେ ଆଇସିସିର ଖର୍ଚ୍ଚରେ ଧନଞ୍ଜୟଙ୍କୁ ଚେନ୍ନାଇ ସ୍ଥିତ ଶ୍ରୀରାମଚନ୍ଦ୍ର ଇନଷ୍ଟିଚ୍ୟୁୟଟରେ ବୋଲିଂ ପରୀକ୍ଷଣ ପାଇଁ ପଠାଯାଇଥିଲା। 

ରିପୋର୍ଟ ଅନୁସାରେ ବୋଲିଂ କରିବା ସମୟରେ ଧନଞ୍ଜୟଙ୍କ ହାତ ୪ ରୁ ୧୭ ଡିଗ୍ରୀ ମଧ୍ୟରେ ଅନିୟମିତ ଭାବେ ଘୁରୁଥିଲା। ଅନେକ ବଲରେ ତ ତାଙ୍କର ହାତ ନିର୍ଦ୍ଧାରିତ ୧୫ ଡିଗ୍ରୀରୁ ଅଧିକ ବଙ୍କା ରହୁଥିଲା। ଆଇସିସିର  ହ୍ୟୁମାନ ମୁଭମେଣ୍ଟ ବିଶେଷଜ୍ଞ ଡାକ୍ତର ଆଣ୍ଡ୍ରିୟା କୁଟ୍ଟିଙ୍କ ରିପୋର୍ଟରୁ ଏହି ସୂଚନା ମିଳିଛି। ଧନଞ୍ଜୟ ଏବେ ନିଜର ବୋଲିଂ ଶୈଳୀ ସୁଧାରିବା ଉପରେ କାମ କରିବେ, ଏହା ପରେ ଗୋଟିଏ ବର୍ଷର ବାସନ୍ଦାଦେଶ ସମାପ୍ତ ପରେ ପୁଣି ଥରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବୋଲିଂ କରି ପାରିବେ। 

ବିବାହର ପରବର୍ତ୍ତି ଦିନ ନେଲେ ଛଅ ଓ୍ଵିକେଟ୍

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୦୧୭ ଅଗଷ୍ଟ ୨୪ରେ ପାଲିକଲରେ ଖେଳାଯାଇଥିବା ଦିନିକିଆରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟରେ ୨୩୬ ରନ କରିଥିଲା। ଜବାବରେ ଭାରତୀୟ ଦଳ ୭ ଓ୍ଵିକେଟ୍ ହରାଇ ୪୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମାତ୍ର ଭାରତୀୟ ଦଳ ହରାଇଥିବା ୭ ଓ୍ଵିକେଟ୍ ମଧ୍ୟରୁ ଅକିଲା ଧନଞ୍ଜୟ ଏକାକୀ ୬ ଓ୍ଵିକେଟ୍ ହାସଲ କରିଥିଲେ। ଏଥିରେ ସେ ରୋହିତ ଶର୍ମା, କେଏଲ ରାହୁଲ, କେଦାର ଯାଦବ, ବିରାଟ କୋହଲି,  ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ପାଭିଲିୟନ ପଠାଇଥିଲେ। ସବୁଠୁ ବଡ଼ କଥା ଅକିଲା ନିଜ ବିବାହର ପରବର୍ତ୍ତୀ ଦିନ ଏହି ମ୍ୟାଚ୍ ଖେଳିଥିଲେ।

Subscribe

National International State Sports Entertainment