ପ୍ରତିଶୋଧ ନେଲେ ବଜରଙ୍ଗ ପୁନିଆ, ବିଶ୍ଵ ଚମ୍ପିଆନସିପରେ ଜିତିଲେ କାଂସ୍ୟ ପଦକ
Khabar Odisha:sports--cricket--odisha--bajrang-punia-wins-bronze-medal-in-world-wrestling-championship
ନୂଆଦିଲ୍ଲୀ, ସେପ୍ଟେମ୍ବର୨୦(ଖବର ଓଡ଼ିଶା):

 କଜାକିସ୍ତାନର ନୁର ସୁଲତାନରେ ଖେଳାଯାଉଥିବା  ବିଶ୍ଵ କୁସ୍ତି ଚମ୍ପିଆନସିପରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ରବି କୁମାର ଦହିଆ ନିଜ ନିଜ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି।  ୬୫ କିଲୋଗ୍ରାମ ବର୍ଗରେ ବଜରଙ୍ଗ ମଙ୍ଗୋଲିଆ କୁସ୍ତିଯୋଦ୍ଧା ତୁଲଗା ଅଚିରଙ୍କୁ ୮-୭ରେ ହରାଇ ସେମି ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଛନ୍ତି। ବଜରଙ୍ଗ ଆରମ୍ଭରୁ ୬-୦ରେ ପଛୁଆ ଥିଲେ ମାତ୍ର ଜୋରଦାର ପ୍ରତ୍ୟାବର୍ତ୍ତନ କରି ମୁକାବିଲା ଜିତି ନେଇଥିଲେ। 

ଏହା ପୂର୍ବରୁ ସେମି ଫାଇନାଲରେ ବଜରଙ୍ଗ ୯-୯ ସ୍କୋର ପରେ ବି ପରାଜିତ ହୋଇଥିଲେ ଏବଂ ଖରାପ ଅମ୍ପାୟରିଂ ନେଇ ନିଜର କ୍ରୋଧ ଜାହିର କରିଥିଲେ। ଏହାକୁ ନେଇ ବଜରଙ୍ଗଙ୍କ ଗୁରୁ ତଥା ଭାରତ ପାଇଁ ଅଲିମ୍ପିକ ପଦକ ବିଜେତା ଯୋଗେଶ୍ଵର ଦତ୍ତ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। 

ଅନ୍ୟ ପଟେ ରବି କୁମାର ଇରାନର ରେଜା ଅତ୍ରୀ ନାଗାହରଚିଙ୍କୁ ୫୭ କିଲୋଗ୍ରାମ ବର୍ଗରେ ପରାସ୍ତ କରିଛନ୍ତି। ବିଶ୍ଵ କୁସ୍ତି ଚମ୍ପିଆନସିପରେ ଏହା ତାଙ୍କର ପ୍ରଥମ ପଦକ।  କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ବଜରଙ୍ଗଙ୍କୁ ତୃତୀୟ ପଦକ ଜିତିବା ନେଇ ଅଭିନନ୍ଦନ ଜଣାଇଛନ୍ତି।

ବିଶ୍ଵ ଚମ୍ପିଆନସିପରେ ବଜରଙ୍ଗଙ୍କ ଏହା ହେଉଛି ତୃତୀୟ ପଦକ। ସେ ୨୦୧୩ରେ କାଂସ୍ୟ ପଦକ ଜିତିଥିଲେ, ମାତ୍ର ସେହି ସମୟରେ ସେ ୬୦ କିଲୋଗ୍ରାମ ବର୍ଗରେ ଖେଳିଥିଲେ। ୬୫ କିଲୋଗ୍ରାମ ବର୍ଗରେ ବଜରଙ୍ଗ ନିଜର ପ୍ରଥମ ପଦକ ଗତ ବର୍ଷ ୨୦୧୮ରେ ଜିତିଥିଲେ, ଯାହା ରୌପ୍ୟ ଥିଲା। ଏହା ସହିତ ବଜରଙ୍ଗ ତିନି ବିଶ୍ଵ ଚମ୍ପିଆନସିପରେ ପଦକ ଜିତିବାରେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ହେବାର ଉପଲବ୍ଧି ହାସଲ କରିଛନ୍ତି। ବଜରଙ୍ଗ କ୍ଵାର୍ଟରଫାଇନାଲରେ ବିଜୟ ସହିତ ଟୋକିଓ ଅଲିମ୍ପିକ ୨୦୨୦ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ। 

Subscribe

National International State Sports Entertainment