ଡବଲିନ୍, ଜୁନ୍ ୨୯ (ଖବର ଓଡ଼ିଶା): ଭାରତୀୟ ଟିମ୍ ଆୟରଲାଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚକୁ ୭ ୱିକେଟ ଓ ୨ୟ ମ୍ୟାଚରେ ରୋମାଞ୍ଚକର ସ୍ଥିତିରେ ୪ ରନ୍ରେ ବିଜୟୀ ହୋଇଛି । ଶୃଙ୍ଖଳା ଜିତିଲା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଖୁସି ଦେଖାଯାଇଛନ୍ତି । ସେ ଜଣେ ଖେଳାଳିଙ୍କୁ ବହୁତ ପ୍ରଶଂସା କରିଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ନିଜ ସମୀକରଣରୁ ସମସ୍ତ ଚାପ ଦୂରରେ ରଖିବାକୁ ଚେଷ୍ଟା କରୁଥିଲି । ମୁଁ ବର୍ତ୍ତମାନରେ ହିଁ ରହିଥିଲି ଏବଂ ଉମ୍ରାନଙ୍କ ସମର୍ଥନ କରିଛି । ତାଙ୍କ ପାଖରେ ଗତି ଅଛି । ଏହି ଗତି ସହିତ ୧୮ ରନ୍ କରିବା କଠିନ ହୋଇଥାଏ । ଉମ୍ରାନ ଶେଷ ଓଭରରେ ୧୭ ରନ୍ ନଦେଇ ଭାରତୀୟ ଟିମ୍କୁ ମ୍ୟାଚ ଜିତାଇଥିଲେ ।
ହାର୍ଦ୍ଦିକ କହିଛନ୍ତି ଯେ, ଆୟରଲାଣ୍ଡ ଟିମ୍ କିଛି ଭଲ ଷ୍ଟ୍ରୋକ୍ ଖେଳିଥିଲେ । ସେମାନେ ଭଲ ବ୍ୟାଟିଂ କରିଥିଲେ । ଆମର ବୋଲରମାନେ ସେମାନଙ୍କର ଶକ୍ତିକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଉଛି । ତାଙ୍କର ପସନ୍ଦର ଖେଳାଳି ଦିନେଶ କାର୍ତ୍ତି ଓ ସଂଜୁ ସାମସନ ଥିଲେ । ସେମାନେ ଆମକୁ ବିପୁଳ ସମର୍ଥନ ଯୋଗାଇଛନ୍ତି । ଯେଉଁମାନେ ଆମକୁ ସମର୍ଥନ ଜଣାଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଉଛି ।
ଡବଲିନରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହା ପରେ ଦୀପକ ହୁଡ୍ଡା ୫୫ଟି ବଲ୍ରେ ଶତକ ମାରିଥିଲେ । ସେ ମୋଟ ୫୭ଟି ବଲ୍ ଖେଳି ୧୦୪ ରନ୍ କରିଥିଲେ । ଏଥିରେ ୬ଟି ଛକା ଓ ୯ଟି ଚୌକା ସାମିଲ ଥିଲା । ଏହା ବ୍ୟତୀତ ସଂଜୁ ସାମସନ ୪୨ଟି ବଲ୍ ଖେଳି ୭୭ ରନ୍ କରିଥିଲେ । ଏଥିରେ ୪ଟି ଛକା ଓ ୯ଟି ଚୌକା ସାମିଲ ଥିଲା । ଫଳରେ ଭାରତ ୭ ୱିକେଟ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା । ଆୟରଲାଣ୍ଡ ୨୨୬ ରନ୍ର ବିଜୟ ଲକ୍ଷ୍ୟ ନେଇ ଆରମ୍ଭରୁ ଭଲ ଖେଳିଥିଲା । ଦଳ ୫ଟି ୱିକେଟ ହରାଇ ୨୨୧ ରନ୍ ସଂଗ୍ରହ କରିଥିଲା ।