ଏହି ୧୫ ଖେଳାଳୀ ଟିମ୍‌ ଇଣ୍ଡିଆର ବିଶ୍ୱକପ ଦଳରେ ସାମିଲ ହେବା ପକ୍କା!
Khabar Odisha:Sports-cricket-odisha-these-are-the-team-indias-fifteen-players-who-are-all-set-to-be-named-in-world-cup-squad
ନୂଆଦିଲ୍ଲୀ, ମାର୍ଚ୍ଚ ୧୪(ଖବର ଓଡିଶା):

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ୩-୨ରେ ପରାସ୍ତ ହେବା ପରେ ଭାରତର ବିଶ୍ୱକପ ଦଳ ପାଇଁ ଅନେକ ପ୍ରଶ୍ନ କ୍ରିଡାପ୍ରେମୀ ତଥା ଟିମ୍ ମ୍ୟାନେଜମେଣ୍ଟ ମନରେ ଦେଖାଦେଇଛି । ଯେମିତି କି କାହାକୁ ମିଳିବ ବିଶ୍ୱକପ ଟିକେଟ୍ ? କିଏ ପଡିବ ଟିମୟ ଇଣ୍ଡିଆରୁ ବାଦ୍ ? ଏମିତି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ବିଶ୍ୱକପ ଦଳରେ ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିଥିବା ଖେଳାଳିଙ୍କ ସାମ୍ଭାବ୍ୟ ତାଲିକା-

୧) ଅଧିନାୟକ ଦାୟିତ୍ୱ ବିରାଟଙ୍କ ଉପରେ ରହିବା ଥୟ । ବିରାଟଙ୍କ ଅଧିନାୟକତ୍ୱରେ ଗତ ପାଞ୍ଚଟି ସିରିଜରୁ ୪ଟି ସିରିଜ ଜିତିଛି ଟିମ୍‌ ଇଣ୍ଡିଆ । ଏହା ସହିତ ଦୁଇଟି ବିଶ୍ୱକପ ଖେଳିବାର ଅନୁଭବ ମଧ୍ୟ ରହିଛି ବିରାଟଙ୍କ ପାଖରେ ।

୨) ଦିନିକିଆରେ ତିନୋଟି ଡବଲ ସେଞ୍ଚୁରୀ ହାସଲ କରିଥିବା ରୋହିତ ଶର୍ମା ବିଶ୍ୱର ସବୁଠାରୁ ବିସ୍ଫୋରକ ପ୍ରାରମ୍ଭିବ ବ୍ୟାଟ୍ସମ୍ୟାନ । ଏହା ତାଙ୍କର ଦ୍ୱିତୀୟ ବିଶ୍ୱକପ ।

୩) ରୋହିତଙ୍କୁ ସାଥ୍ ଦେବେ ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାୱନ । ଅଷ୍ଟ୍ରେଲିଆ ବିପକ୍ଷରେ ଫର୍ମକୁ ଫେରି ୧୪୩ ରନର ଇନିଂସ ଖେଳି ନିଜର ସ୍ଥାନ ପକ୍କା କରିଛନ୍ତି ଧାୱନ । ଏହା ତାଙ୍କର ମଧ୍ୟ ଦ୍ୱିତୀୟ ବିଶ୍ୱକପ ହେବ । ଇଂଲଣ୍ଡରେ ତାଙ୍କର ବ୍ୟାଟିଂ ହାର ୬୫.୦୬ ରହିଛି । ଇଂଲଣ୍ଡରେ ସେ ୯୭୬ ରନ କରିଥିଲେ, ବିଗତ ୧୦ ବର୍ଷରେ କୌଣସି ବିଦେଶୀ ଖେଳାଳି ଏତେ ରନ କରିନାହାଁନ୍ତି । 

୪) ବିଶ୍ୱକପ ୨୦୧୯ର ସବୁଠାରୁ ଅନୁଭବି ଖେଳାଳି ହେବାକୁ ଯାଉଛନ୍ତି ଭାରତର ମହେନ୍ଦ୍ର ସିଂହ ଧୋନି । ଧୋନି ବର୍ତ୍ତମାନ ସୁଦ୍ଧା ୩ଟି ବିଶ୍ୱକପରେ ଖେଳିସାରିଛନ୍ତି । ଧୋନିଙ୍କ ଅଭିଜ୍ଞତା ନିଶ୍ଚିତ ଭାବରେ ବିରାଟ କୋହଲିଙ୍କୁ ଆବଶ୍ୟକ ପଡିବ । 

୫) ପ୍ରଥମଥର ପାଇଁ ବିଶ୍ୱକପ ଦଳରେ ସ୍ଥାନ ପାଇବେ କେଦାର ଯାଦବ । ଷଷ୍ଠ ନମ୍ୱରରେ ସେ ସବୁଠାରୁ ଭଲ ବିକଳ୍ପ ବୋଲି କୁହାଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେ ନିଜର ଅଭିଜ୍ଞତା ପ୍ରଦର୍ଶନ କରିଥିଲେ । ୬ ନମ୍ୱରରେ ତାଙ୍କର ବ୍ୟାଟିଂ ହାର ହେଉଛି ୫୪ । ଏହି ହାରରେ ସେ ୮୧୦ ରନ କରିସାରିଛନ୍ତି । ଏହା ବ୍ୟତୀତ ସେ ବୋଲିଂରେ ମଧ୍ୟ ଭାରତ ପାଇଁ ଅନେକଥର ଦମ୍‌ଦାର ପ୍ରଦର୍ସନ କରିସାରିଛନ୍ତି । 

୬) ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଘାତକ ଅନ୍ତିମ ଓଭର ବୋଲିଂ କରି ସମସ୍ତଙ୍କୁ ଚକିତ କରିଥିଲେ ଯୁବ ଅଲରାଉଣ୍ଡର ବିଜୟ ଶଙ୍କର । ମାତ୍ର ୯ଟି ମ୍ୟାଚରେ ହିଁ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି । 

୭) ଫିଟ୍‌ନେସ୍‌ ଯଦିଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚିନ୍ତାର କାରଣ, ତେବେ ସେ ଫିଟ୍ ରହିଲେ ବିଶ୍ୱକପ ଖେଳିବା ଏକ ପ୍ରକାର ସୁନିଶ୍ଚିତ । ତାଙ୍କର ରକ୍ଷଣାତ୍ମକ ବୋଲିଂ ଓ ବିସ୍ଫୋରକ ବ୍ୟାଟିଂ ଭାରତୀୟ ଦଳ ନିଶ୍ଚିତ ଭାବେ ସାମିଲ କରିବାକୁ ଚାହିଁବ । 

୮) କେ ଏଲ୍‌ ରାହୁଲ୍‌ଙ୍କୁ ନେଇ କିଛିଟା ସନ୍ଦେହ ଥାଇପାରେ, ମାତ୍ର ସେ ବିଶ୍ୱକପ ଦଳରେ ସାମିଲ ହେବା ସୁନିଶ୍ଚିତ । ରାହୁଲ ବିରାଟ କୋହଲିଙ୍କର ବହୁତ୍ ପସନ୍ଦ । ତାଙ୍କ ବ୍ୟାଟିଂ ଉପରେ କୋହଲିଙ୍କୁ ବିଶ୍ୱାସ ରହିଛି । ଏହା ସହିତ ରାହୁଲ୍‌ ଉଭୟ ଓପନିଂ ଓ ମିଡିଲ ଅଡର୍‌ରେ ଖେଳିପାରିବେ । 

୯) ରିଷଭ ପନ୍ତ ଟିମ୍ ଇଣ୍ଡିଆର ଦ୍ୱିତୀୟ ୱିକେଟ ରକ୍ଷକ । ଏହି ଆଧାରରେ ସେ ବିଶ୍ୱକପ ଦଳରେ ସାମିଲ ହେବେ । ୱିକେଟ କିପିଂ ସହିତ ବିସ୍ଫୋରକ ବ୍ୟାଟିଂ ପାଇଁ ମଧ୍ୟ ସେ ଜଣାଶୁଣା । 

୧୦) ଚାଇନା ମ୍ୟାନ କୁଲଦୀପ ଯାଦବ ବିଶ୍ୱର ନମ୍ୱର ୱାନ୍ ସ୍ପିନର । ବିଶ୍ୱକପରେ ସେ ଟିମ୍ ଇଣ୍ଡିଆର ସବୁଠାରୁ ବଡ ଅସ୍ତ୍ର ଭାବେ କାମ କରିବେ ।

୧୧) ଭାରତ ଯଦି ବିଶ୍ୱକପର କୌଣସି ମ୍ୟାଚରେ ଦୁଇଟି ସ୍ପିନର ଖେଳାଇବାକୁ ଚାହେଁ, ତେବେ ବିରାଟଙ୍କ ପାଇଁ ୟୁଜବେନ୍ଦ୍ର ଚହଲ ପ୍ରଥମ ପସନ୍ଦ ରହିବ । ଚହଲ ଲିମିଟେଡ୍ ଓଭର ଗେମ୍‌ରେ ଜଣେ ୱିକେଟ ଟେକିଙ୍ଗ୍‌ ବୋଲର । 

୧୨) ଜସପ୍ରୀତ୍ ବୁମରା ବିଶ୍ୱ କ୍ରିକେଟରେ ବର୍ତ୍ତମାନର ସବୁଠାରୁ ଶ୍ରେଷ୍ଠ ଦିନିକିଆ ଦ୍ରୁତ ବୋଲର । ଖାସ୍‌କରି ଅନ୍ତିମ ଓଭରଗୁଡିକରେ ସେ ସବୁଠାରୁ ଖତରନାକ୍  । ଇଂଲଣ୍ଡରେ ସେ ଟିମ୍‌ ଇଣ୍ଡଆ ବିଜୟର ପ୍ରମୁଖ କାରଣ ସାଜିପାରନ୍ତି । 

୧୩) ଭୁବନେଶ୍ୱର କୁମାର ମଧ୍ୟ ଦ୍ରୁତ ବୋଲର ଭାବେ ବିଶ୍ୱକପ ଦଳରେ ସାମିଲ ହେବେ । ବୋଲିଂ ତ ଦମ୍‌ଦାର କରନ୍ତି ଭୁବି, ଏହା ସହିତ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମ୍ୟାଚରେ ସେ ବ୍ୟାଟିଂରେ ମଧ୍ୟ ନିଜର ଜୱ୍‌ୱା ଦେଖାଇଥିଲେ । 

୧୪) ଭାରତୀୟ ଟିମ୍‌ରେ ମହମ୍ମଦ ସାମି କମାଲ ପ୍ରଦର୍ଶନ କରିଥିବା ବେଳେ ତାଙ୍କୁ ଚଳିତବର୍ଶ ବିଶ୍ୱକପ ଦଳରେ ସାମିଲ କରିବା ମଧ୍ୟ ପକ୍କା ହୋଇସାରିଛି । ସାମି ନିଜର ଗତୀ ଓ ସ୍ୱିଂଗ ପାଇଁ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇବା ସହିତ ୱିକେଟ ମଧ୍ୟ ହାସଲ କରିଛନ୍ତି ।

୧୫) ଅମ୍ୱତୀ ରାଇଡୁ ମଧ୍ୟ ବିଶ୍ୱକପ ଦୌଡରେ ସାମିଲ ଅଛନ୍ତି । ବ୍ୟାଟି ତାଲିକାର ୪ ନମ୍ୱର ସ୍ଥାନ ଟିମ ଇଣ୍ଡିଆର ମୁଣ୍ଡବ୍ୟଥାର କାରଣ ସାଜିଛି । ଏମିତିରେ ରାଇଡୁଙ୍କୁ ମଧ୍ୟ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

Subscribe

National International State Sports Entertainment