ହଟିବେ ଋଷଭ ପନ୍ତ, ଶ୍ରେୟସ ଆୟର ସମାଧାନ କଲେ ଚତୁର୍ଥ ନମ୍ବରର ସମସ୍ୟା !
Khabar Odisha:Sports-cricket-odisha-shreyas-ayer-better-option-on-fourt-number-instead-of-rishabh-pant
ନୂଆଦିଲ୍ଲୀ,ଅଗଷ୍ଟ୧୨(ଖବର ଓଡ଼ିଶା):

 ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୧୯ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଚତୁର୍ଥ ନମ୍ବରକୁ ନେଇ ସମସ୍ୟା ଥିଲା। ବିଶ୍ଵକପ୍ ସମୟରେ ମଧ୍ୟ ଏହି ସମସ୍ୟା ଦଳର ପିଛା ଛାଡ଼ିନଥିଲା। ଟୂର୍ଣ୍ଣାମେଣ୍ଟ ସମୟରେ ଦଳ ପ୍ରବନ୍ଧକ ଋଷଭ ପନ୍ତଙ୍କୁ ଚତୁର୍ଥ କ୍ରମରେ ବ୍ୟାଟିଂ ସୁଯୋଗ ଦେଇଥିଲେ। ଟୂର୍ଣ୍ଣାମେଣ୍ଟ ପରେ ମଧ୍ୟ ପ୍ରବନ୍ଧକ ଦୃଢ଼ ବିଶ୍ଵାସର ସହ ପନ୍ତଙ୍କୁ ଚତୁର୍ଥ କ୍ରମରେ ବ୍ୟାଟିଂ ପାଇଁ ପ୍ରୋତ୍ସାହିତ କରିଥିଲେ। ଏହା ପୂର୍ବରୁ ବିଜୟ ଶଙ୍କର ଓ ଲୋକେଶ ରାହୁଲଙ୍କୁ ଏହି କ୍ରମରେ ବ୍ୟାଟିଂ ପାଇଁ ପ୍ରବଳ ଦାବିଦାର କୁହାଯାଉଥିଲା।

ବିଶ୍ଵକପରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇ ଦଳ ବିଶ୍ଵକପରୁ ବାଦ୍ ପଡ଼ିଥିଲା।  ଏହା ପରେ ଦଳର ପ୍ରଥମ ଗସ୍ତ ଓ୍ଵେଷ୍ଟଇଣ୍ଡିଜ ରହିଛି। ଏହି ଗସ୍ତରେ ଦଳ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତି ନେଇଛି। ପ୍ରଥମ ଦିନିକିଆ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଦିନିକିଆରେ ଦଳ ବିଜୟୀ ହୋଇଛି। ଦ୍ଵିତୀୟ ଦିନିକିଆ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରି ଦେଇଥିଲେ ଯେ ଦଳ ପ୍ରବନ୍ଧକ ଚତୁର୍ଥ କ୍ରମରେ ବ୍ୟାଟିଂ ପାଇଁ ଋଷଭ ପନ୍ତଙ୍କୁ ସଂପୂର୍ଣ୍ଣ ସମର୍ଥନ କରୁଛି। 

ଏହି କାରଣରୁ ଏହି ମ୍ୟାଚରେ ସୁଯୋଗ ପାଇଥିବା ଶ୍ରେୟସ ଆୟରଙ୍କୁ ପଞ୍ଚମ ନମ୍ବରରେ ବ୍ୟାଟିଂ ପାଇଁ ପଠାଯାଇଥିଲା। ଚତୁର୍ଥ ନମ୍ବରରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଋଷଭ ପନ୍ତ ବେପରୁଆ ସଟ୍ ଖେଳି ନିଜର ଓ୍ଵିକେଟ୍ ହରାଇଥିଲେ। ସେ ୩୫ ବଲରୁ ୨୦ ରନ କରି କାର୍ଲୋସ ବ୍ରେଥଓ୍ଵେଟଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ପନ୍ତ ସେଟ୍ ହେବା ପରେ ବଲକୁ ଲାଇନ ଉପରକୁ ଆଣିବା ପରିବର୍ତ୍ତେ ଅଜବ ଶୈଳୀରେ ସଟ୍ ଖେଳିଥିଲେ, ଫଳରେ ସେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। 

ଅନ୍ୟ ପଟେ ପଞ୍ଚମ ନମ୍ବରରେ ବ୍ୟାଟିଂ ପାଇଁ ଶ୍ରେୟସ ଆୟର ଓହ୍ଲାଇଥିଲେ ଏବଂ ପୂରା ପରିପକ୍ଵ ସହ ବ୍ୟାଟିଂ କରିଥିଲେ। ସେ ବିରାଟ କୋହଲିଙ୍କ ସହିତ ଭାରତୀୟ ଇନିଂସକୁ ଆଗକୁ ବଢାଇଥିଲେ। ଏହି ସମୟରେ ସେ ଏକ-ଦୁଇ ରନ ନେଇ ରନଗତିକୁ ଜାରି ରଖିଥିଲେ ଏବଂ ସୁଯୋଗ ମିଳିବା ମାତ୍ରେ ବଲକୁ ସୀମା ରେଖା ପଠାଉଥିଲେ। ଶ୍ରେୟସ ଏହି ମ୍ୟାଚରେ ସେମିତି ଖେଳିଥିଲେ ଯେମିତି ଚତୁର୍ଥ କ୍ରମରେ ଜଣେ ବ୍ୟାଟସମ୍ୟାନ ବ୍ୟାଟିଂ କରିଥାନ୍ତି। ଶ୍ରେୟସ ଏ ପର୍ୟ୍ୟଥନ୍ତ ଚତୁର୍ଥ କ୍ରମରେ ବ୍ୟାଟିଂ କରିନଥିଲେ ବି ତାଙ୍କର ବ୍ୟାଟିଂ ଶୈଳୀକୁ ଦେଖିଲେ ଲାଗୁଛି ଯେ ଏହି ସ୍ଥାନ ପାଇଁ ସେ ସଂପୂର୍ଣ୍ଣ ଫିଟ୍। 

ପନ୍ତଙ୍କ ବ୍ୟାଟିଂ ହାର ୨୫.୪୪ 

ଋଷଭ ପନ୍ତ ନିଜର କ୍ୟାରିୟରରେ ୧୧ଟି ଦିନିକିଆର ୯ଟି ଇନିଂସରୁ ମାତ୍ର ୨୫.୪୪ ହାରରେ ୨୨୯ ରନ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୪୮ ରନ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୯୭.୦୩ ରହିଛି। ଅନ୍ୟ ପଟେ ୧୮ଟି ଟି-୨୦ ମ୍ୟାଚରୁ ୨୧.୫୭ ହାରରେ ତାଙ୍କ ନାମରେ ୩୦୨ ରନ ରହିଛି। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୬୫ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୨୪.୨୭ ରହିଛି। ୯ଟି ଦିନିକିଆରୁ ସେ ୬ ଥର ଚତୁର୍ଥ ନମ୍ବରରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ଏଥିରେ ସେ ମୋଟ୍ ୧୫୨ ରନ କରିଛନ୍ତି। 

ଶ୍ରେୟସ ଆୟରଙ୍କ ନାମରେ ୬ଟି ଇନିଂସରୁ ୩ ଅର୍ଦ୍ଧଶତକ

ଶ୍ରେୟସ ଆୟରଙ୍କ ଦମଦାର ପ୍ରଦର୍ଶନ ଆପଣ ଏଥିରୁ ଅନୁମାନ କରି ପାରିବେ ଯେ, ସେ ଆଠଟି ଦିନିକିଆ ମ୍ୟାଚରୁ ତିନୋଟି ଅର୍ଦ୍ଧଶତକ ସହ ୨୮୧ ରନ କରିଛନ୍ତି। ଏଥିରୁ ତାଙ୍କୁ ଦୁଇଟି ଇନିଂସରେ ବ୍ୟାଟିଂ ପାଇଁ ସୁଯୋଗ ମିଳିନଥିଲା। ସେ ପଞ୍ଚମ ନମ୍ବରରେ ତିନୋଟି ଇନିଂସ ଖେଳି ଗୋଟିଏ ଅର୍ଦ୍ଧଶତକ ସହ ୧୧୯ ରନ କରିଥିବା ବେଳେ ତୃତୀୟ ନମ୍ବରରେ ତିନୋଟି ଇନିଂସ କରି ଦୁଇଟି ଅର୍ଦ୍ଧଶତକ ସହ ୧୬୨ ରନ କରିଛନ୍ତି। ମୋଟ୍ ଛଅଟି ଇନିଂସରୁ ସେ ୪୬.୮୩ ହାରରେ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୯୮.୨୫ ରହିଛି। ସର୍ବାଧିକ ସ୍କୋର ୮୮ ରନ ରହିଛି।

Subscribe

National International State Sports Entertainment