ଦିଲ୍ଲୀରେ ହିଟ୍‌ମ୍ୟାନ ରୋହିତ୍‌ଙ୍କ ଅପେକ୍ଷାରେ ତିନୋଟି ବଡ ରେକର୍ଡ
Khabar Odisha:Sports-cricket-odisha-rohit-sharma-could-make-three-special-record-in-delhi
ଦିଲ୍ଲୀ,ମାର୍ଚ୍ଚ ୧୩(ଖବର ଓଡିଶା) :

ଦିଲ୍ଲୀର ଫିରୋଜ୍‌ ଶାହା କୋଟ୍‌ଲାରେ ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ ଚାଲିଛି । ଏହି ସିରିଜରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଆଜିର ମ୍ୟାଚ ଉପରେ ଉଭୟଙ୍କ ନଜର ରହିଛି । ଆଜିର ମ୍ୟାଚ ଯିଏ ଜିତିବ, ସେ ସିରିଜ ମଧ୍ୟ ବିଜୟୀ ହେବ । ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ ପଡିଆକୁ ଓହ୍ଲାଇଛନ୍ତି । ଏହି ଭିତରେ ହିଟ୍‌ମ୍ୟାନ ରୋହିତଙ୍କୁ ଅପେକ୍ଷା କରି ରହିଛି ତିନୋଟି ବଡ ରେକର୍ଡ ।

ପୂର୍ବ ମ୍ୟାଚରେ ୫ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିବା ରୋହିତ ଶର୍ମା ଦିଲ୍ଲୀ ଦିନିକିଆରେ ତିନୋଟି ବଡ ରେକର୍ଡ କରିପାରନ୍ତି । ଯଦି ଆଜି ରୋହିତ ଶର୍ମା ଶତକ ହାସଲ କରନ୍ତି, ତେବେ ସେ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିବେ । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦିନିକିଆରେ ୨୨ଟି ଶତକ ହାସଲ କରିଛନ୍ତି । ରୋହିତ ଶର୍ମାଙ୍କ ନାମରେ ମଧ୍ୟ ଏବେ ୨୨ଟି ଶତକ ରହିଛି, ତେଣୁ ଆଜି ଶତକ ହାସଲ କଲେ ରୋହିତ, ଗାଙ୍ଗୁଲିଙ୍କୁ ଶତକ ତାଲିକାରେ ଅତିକ୍ରମ କରିବେ । 

୨୩ ତମ ଶତକ ହାସଲ କଲେ ରୋହିତ ଶର୍ମା ଦିନିକିଆରେ ଭାରତୀୟ ଭାବେ ସର୍ବାଧିକ ଶତକ ହାସଲ ତାଲିକାର ତୃତୀୟ କ୍ରିକେଟର ହୋଇଯିବେ । ଏହି ତାଲିକାରେ ଭାରତ ତଥା ସାରା ବିଶ୍ୱରେ ୪୯ଟି ଶତକ ସହିତ ଶୀର୍ଷରେ ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବର୍ତ୍ତମାନର ଭାରତୀୟ ଅଧିନାୟକ ରେକର୍ଡ ମାଷ୍ଟର ବିରାଟ କୋହଲି । ସେ ବର୍ତ୍ତମାନ ସୁଦ୍ଧା ୪୧ଟି ଶତକ ହାସଲ କରିସାରିଛନ୍ତି । 

ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା ୧୯୯ଟି ଇନିଂରୁ ୭୯୫୪ ରନ କରିଛନ୍ତି । ଯଦି ସେ ଆଜି ୪୬ ରନ କରନ୍ତି ତେବେ ସେ ୮୦୦୦ ରନ ମଧ୍ୟ ଦିନିକିଆରେ ପୂରଣ କରିବେ । ତାପରେ ସବୁଠାରୁ ଦ୍ରୁତ ୮୦୦୦ ରନ ସଂଗ୍ରହ କରିବାରେ ରୋହିତ, ଗାଙ୍ଗୁଲିଙ୍କ ସହ ସମକକ୍ଷ ହୋଇଯିବେ । ଗାଙ୍ଗୁଲି ୨୦୦ଟି ଇନିଂସ ଖେଳି ଦିନିକିଆରେ ୮୦୦୦ ରନ ପୂରଣ କରିବାରେ ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ । ଏହି ରେକର୍ଡର ରାଜା ହେଉଛନ୍ତି ମିଷ୍ଟର ରେକର୍ଡମ୍ୟାନ ବିରାଟ । କୋହଲି ୮୦୦୦ ରନ ପୂରଣ କରିବା ପାଇଁ ମାତ୍ର ୧୭୫ଟି ଇନିଂସ ନେଇଥିଲେ । 

ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ରନ ପୂରଣ କରିବାର ସୁଯୋଗ ମଧ୍ୟ ରୋହିତଙ୍କ ପାଖରେ ରହିବ । ଅଷ୍ଟ୍ରେଲିଆ ବିପକ୍ଷରେ  ରୋହିତ ବର୍ତ୍ତମାନ ସୁଦ୍ଧା ୧୯୨୪ ରନ ସଂଗ୍ରହ କରିଛନ୍ତି । 

Subscribe

National International State Sports Entertainment