କୋହଲିଙ୍କ ହୋମ ଗ୍ରାଉଣ୍ଡରେ ହାରିଲା ଭାରତ, ୩-୨ରେ ସିରିଜ ଜିତିଲା କଙ୍ଗାରୁ
Khabar Odisha:Sports-cricket-ind-vs-aus-5th-odi-australia-beats-35-runs-india-nad-won-series-3-2
ନୂଆଦିଲ୍ଲୀ,ମାର୍ଚ୍ଚ୧୩(ଖବର ଓଡ଼ିଶା):

ଭ୍ରମଣକାରୀ ଅଷ୍ଟ୍ରେଲିଆ  ଭାରତୀୟ ଦଳକୁ ଦିଲ୍ଲୀର ଫିରୋଜଶାହା କୋଟଲାରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଦିନିକିଆରେ ୩୫ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୨ରେ ଜିତି ନେଇଛି। ୧୦ ବର୍ଷ ପରେ କଙ୍ଗାରୁ ଦଳ ଭରାତରେ ଏହି କମାଲ  କରି ପାରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଓପନର ଉସମାନ ଖାଓ୍ଵଜାଙ୍କ ଶତକ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୨ ରନ କରିଥିଲା। ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୨୩୭ ରନରେ ଅଲଆଉଟ୍ ହୋଇଥିଲା। ଏହି ପରି ଭାରତ ଅଧିନାୟକ ବିରାଟ କୋହଲିଙ୍କ ନିଜ ହୋମ ଗ୍ରାଉଣ୍ଡରେ ସିରିଜ୍ ହାରିବାକୁ ପଡ଼ିଛି। ୨୦୧୬ ପରେ ଭାରତ ପ୍ରଥମ ଥର ଘରୋଇ ସିରିଜରେ ପରାସ୍ତ ହୋଇଛି। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଶେଷ ୩ଟି ମ୍ୟାଚ୍ ଜିତି ସିରିକୁ ୩-୨ରେ ଜିତି ନେଇଛି। ଦୁଇଟି ଶତକ ସହ ସିରିଜରେ ମୋଟ୍ ୩୮୩ ରନ ରନ କରିଥିବା ଉସମାନ ଖାଓ୍ଵଜା ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।

୨୭୩ ରନର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଖରାପ ରହିଥିଲା। ସ୍ଥାନୀୟ ଖେଳାଳି ଶିଖର  ଧାଓ୍ଵନ ପଞ୍ଚମ ଓଭରରେ ବ୍ୟକ୍ତିଗତ ୧୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଓ ଅଧିନାୟକ କୋହଲି ଦ୍ଵିତୀୟ ଓ୍ଵିକେଟରେ ୫୩ ରନ ଯୋଡି ଦଲର ସ୍ଥିତିକୁ ସୁଧାରିଥିଲେ। ମାତ୍ର ଦଳୀୟ ସ୍କୋର ୬୮ରେ କୋହଲି(୨୦) ବିଦାୟ ନେଇଥିଲେ। 

କୋହଲିଙ୍କ ଆଉଟ୍ ପରେ ଦଳକୁ ଏକ ବଡ଼ ଭାଗିଦାରୀରର ଆବଶ୍ୟକତା ଥିଲା। ମାତ୍ର ଋଷଭ ପନ୍ତ ମିଳିଥିବା ସୁଯୋଗର ଫାଇଦା ଉଠାଇପାରିନଥିଲେ। ସେ ୧୬ ରନ କରି ପାଭିଲିୟନ ଫେରିଥିଲେ। ଏହି କ୍ରମରେ ବିଜୟ ଶଙ୍କର(୧୮) ବଡ ସର୍ଟ ଖେଳିବା ପ୍ରୟାସରେ ନିଜର ଓ୍ଵିକେଟ୍ ହରାଇଥିଲେ। ଏହି ପରି ଭାରତ ୧୨୦ ରନରେ ୪ ଓ୍ଵିକେଟ୍ ହରାଇଥିଲା। ଏହି ସମୟରେ ରୋହିତ କ୍ୟାରିୟରର ୮୦୦୦ ରନ ପୂରଣ କରିଥିଲେ। 

ଗୋଟିଏ ଓ୍ଵିକେଟ୍ ଖସି ଚାଲିଥିବା ପ୍ରଭାବ ରୋହିତଙ୍କ ଉପରେ ପଡ଼ିଥିଲା। ୨୯ମ ଓଭରରେ ଜାମ୍ପାଙ୍କୁ ବଡ଼ ହିଟ୍ ଲଗାଇବା ଚକ୍କରରେ ସେ ଷ୍ଟମ୍ପି ହୋଇଥିଲେ। ରୋହିତ ୮୯ ବଲରୁ ୪ ଚୌକା ଜରିଆରେ ୫୬ ରନ କରି ପାଭିଲିୟନ ଫେରିଥିଲେ। ଏହି ପାଳିରେ ତାଙ୍କୁ ଦୁଇ ଥର ଜୀବନଦାନ ମଧ୍ୟ ମିଳିଥିଲା। ଉକ୍ତ ଓଭରରେ ରବିନ୍ଦ୍ର ଜାଡେଜା ଷ୍ଟମ୍ପ ଆଉଟ୍ ହୋଇଥିଲେ।

ଭୁବନେଶ୍ଵର ଓ କେଦାର ଯାଦବ ଯୋଡିଲେ ୯୧ ରନ

ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଗୋଟିଏ ଓଭରରେ ଆଉଟ୍ ହେବା ପରେ ଭାରତୀୟ ଦଳ ପ୍ରବଳ ଚାପର ବଶବର୍ତ୍ତୀ ହୋଇଥିଲା। ପିଚରେ ନୂତନ ବ୍ୟାଟସମ୍ୟାନ ଭାବେ ଭୁବନେଶ୍ଵର କୁମାର ଓ କେଦାର ଯାଦବ ଥିଲେ। ଉଭୟ ସମ୍ଭାଳି ଦେଖି ଚାହିଁ ଖେଳିଥିଲେ। ଉଭୟ ଦଳର ସ୍କୋରକୁ ଆଗେଇ ନେଇଥିଲେ। କେଦାର ଯାଦବ ଓ ଭୁବନେଶ୍ଵର କୁମାର ଛକା ମାରିବା ମାତ୍ରେ ଦଳର ବିଜୟ ଆଶା ଉଜ୍ଜିବୀତ ହୋଇ ଉଠୁଥିଲା। 

୪୩ମ ଓଭରରେ ଭାରତ ୨୦୦ ରନ ପୂରା କରିଥିଲା।  ମାତ୍ର ଭୁବନେଶ୍ଵର କୁମାର ୪୬ତମ ଓଭରର ଶେଷ ବଲରେ ପାଟ କମିନ୍ସଙ୍କୁ ବଡ଼  ହିଟ୍ ମାରିବା ଚକ୍କରରେ ଫିଞ୍ଚଙ୍କୁ କ୍ୟାଚ୍ ଦେଇଥିଲେ। ସେ ଭଲ ବ୍ୟାଟିଂ କରି ୫୪ ବଲରୁ ୩ ଚୌକା ଓ ୨ ଛକା ବଳରେ ୪୬ ରନ କରିଥିଲେ। ଭୁବନେଶ୍ଵର ଓ କେଦାର ସପ୍ତମ ଓ୍ଵିକେଟରେ ୯୧ ରନ ଯୋଡ଼ିଥିଲେ। ଏହାର ପରବର୍ତ୍ତୀ ଓଭରରେ କେଦାର ଯାଦବ(୪୪) ଆଉଟ୍ ହୋଇଥିଲେ। ଏହା ପରେ ଭାରତ ବିଜୟ ଆଶା ମଉଳି ଯାଇଥିଲା। ଦଳ ଶେଷରେ ନିର୍ଦ୍ଧାରିତ ଓଭରରେ ୨୩୭ ରନରେ ଅଲଆଉଟ୍ ହୋଇଥିଲା। 

ଅଷ୍ଟ୍ରେଲିଆ ପକ୍ଷରୁ ଆଡମ ଜାମ୍ପା ୩ ସଫଳତା ପାଇଥିବା ବେଳେ ପାଟ କମିନ୍ସ, ଝେ ରିଚାର୍ଡସନ ଓ ମାର୍କସ ଷ୍ଟୋଇନିସ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। 

ଅଷ୍ଟ୍ରେଲିଆ ବ୍ୟାଟିଂ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଗତ ମ୍ୟାଚ୍ ପରି ଦୁଇ ଓପନର ଉସମାନ ଖାଓ୍ଵଜା ଓ ଆରୋନ ଫିଞ୍ଚ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟରେ ୭୬ ରନ ଯୋଡିଥିଲେ। ଏହି ସ୍କୋରରେ ଅଧିନାୟକ ଫିଞ୍ଚଙ୍କୁ ବୋଲ୍ଡ କରି ରବିନ୍ଦ୍ର ଜାଡ଼େଜା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଖାଓ୍ଵଜା ଓ ପିଟର ହ୍ୟାଣ୍ଡସ୍କମ୍ବ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୯୯ ରନ ଯୋଡି ଦଳକୁ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ୧୭୫ ରନ ସ୍କୋରରେ ଖଓ୍ଵାଜାଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଏହି ଯୋଡି ଭାଙ୍ଗିଥିଲେ। ଖାଓ୍ଵଜା ୧୦୬ ବଲରୁ ୧୦ ଚୌକା  ଓ ୨ ଛକା ବଳରେ ୧୦୦ ରନ କରି ପାଭିଲିୟନ ଫେରିଥିଲେ।  ସିରିଜରେ ଏହା ହେଉଛି ତାଙ୍କର ଦ୍ଵିତୀୟ ଶତକ ଏବଂ ଦିନିକିଆ କ୍ୟାରିୟରରେ ମଧ୍ୟ ଦ୍ଵିତୀୟ ଶତକ। 

ଖାଓ୍ଵଜାଙ୍କ ଆଉଟ୍ ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ୧୭୮ ରନ ସ୍କୋରରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧) ଆଉଟ୍ ହୋଇଥିଲେ। ଏହା ପରେ ଭଲ ବ୍ୟାଟିଂ କରୁଥିବା ପିଟର ହ୍ୟାଣ୍ଡସ୍କମ୍ବ ୫୨ ରନ କରି ପାଭିଲିୟନ ଫେରିଥିଲେ। ପିଟରଙ୍କ ଆଉଟ୍ ପରେ ଅଷ୍ଟ୍ରେଲିଆର ରନ ଗତି ଧିମେଇ ଯାଇଥିଲା। ଶେଷ ଆଡକୁ ମାର୍କ୍ସ ଷ୍ଟୋଇନିସ ୨୦, ଆଷ୍ଟନ ଟର୍ଣ୍ଣର ଓ ଝେ ରିଚାର୍ଡସନ ୨୯ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍ ହରାଇ ୨୭୨ ରନ କରିଥିଲା। 

ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ଟି ସଫଳତା ପାଇଥିଲେ। ଏହି ପରି ମହମ୍ମଦ ସାମି ୨, ରବିନ୍ଦ୍ର ଜାଡ଼େଜା ୨ ଓ କୁଲଦୀପ ଯାଦବ ଗୋଟିଏ ସଫଳତା ପାଇଥିଲେ।

  • Tags:

Subscribe

National International State Sports Entertainment