ଇଂଲଣ୍ଡ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ଭାରତୀୟ ମହିଳା ଟିମ୍ ଶନିବାର ଲଡ୍ର୍ସରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଇଂଲଣ୍ଡକୁ ୧୬ ରନ୍ରେ ପରାସ୍ତ କରିଛି । ଏହି ବିଜୟର ସହିତ ଭାରତ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଛି । ଇଂଲଣ୍ଡ ମହିଳା ଟିମ୍କୁ ମ୍ୟାଚ ବିଜୟ ପାଇଁ ୧୭୦ ରନ୍ର ଟାର୍ଗେଟ ମିଳିଥିଲା । କିନ୍ତୁ ଭାରତୀୟ ବୋଲରଙ୍କ ସାମ୍ନାରେ ଘରୋଇ ଟିମ୍ର ବ୍ୟାଟରମାନେ ଜଣକ ପରେ ଜଣେ ଧରାଶୟୀ ହୋଇଥିଲେ । ପୂରା ଟିମ୍ ୧୫୩ ରନ୍ରେ ଅଲଆଉଟ୍ ହୋଇଥିଲା । ଏହି ବିଜୟର ସହିତ ଭାରତୀୟ ଟିମ୍ ଅଭିଜ୍ଞ ବୋଲର ଝୁଲନ ଗୋସ୍ୱାମୀଙ୍କୁ ସ୍ମରଣୀୟ ବିଦାୟ ଦେଇଛନ୍ତି ।
ଟାର୍ଗେଟ ପଛରେ ଗୋଡେଇ ଇଂଲଣ୍ଡ ଆରମ୍ଭରୁ ଧୀମାଗତିରେ ଖେଳିଥିଲା । ୭.୩ ଓଭରରେ ବିନା କୌଣସି ୱିକେଟ ହରାଇ ୨୭ ରନ୍ ସଂଗ୍ରହ କରିଥିଲା । ଏହା ପରେ ରେଣୁକା ସିଂହ ୩ଟି ୱିକେଟ ନେଇ ଇଂରାଜୀ ଟିମ୍କୁ ଚାପରେ ରଖିଥିଲେ । ଝୁଲନ ଗୋସ୍ୱାମୀ ମଧ୍ୟ ଏହା ପରେ ଗୋଟିଏ ୱିକେଟ ନେଇଥିଲେ । ଇଂଲଣ୍ଡର ସ୍କୋର ୫୦ ରନ୍ ବେଳକୁ ୪ଟି ୱିକେଟ ଯାଇସାରିଥିଲା । ସ୍କୋର ୬୫ ରନ୍ ବେଳକୁ ଇଂଲଣ୍ଡର ୭ ଜଣ ଖେଳାଳି ଆଉଟ୍ ହୋଇସାରିଥିଲେ । ଏହି ସମୟରେ ଅଧିନାୟକ ଏମି ଜୋନ୍ସ ଏବଂ ଚାର୍ଲି ଡିନ୍ ୩୮ ରନ୍ର ଭାଗିଦାରୀ ହୋଇ ମ୍ୟାଚକୁ ରୋମାଞ୍ଚକ ସ୍ଥିତି ଆଡକୁ ନେବା ପାଇଁ ଉଦ୍ୟମ କରିଥିଲେ । ଜୋନ୍ସ (୨୮)ଙ୍କୁ ରେଣୁକା ସିଂହ ଆଉଟ୍ କରିଦେଇଥିଲେ । ସେହିପରି ଡିନ (୪୭) ଇଂଲଣ୍ଡକୁ ଟାର୍ଗେଟ ପର୍ଯ୍ୟନ୍ତ ପହଂଚାଇପାରି ନଥିଲେ । ଦୀପ୍ତି ଶର୍ମା ତାଙ୍କୁ ଆଉଟ୍ କରିଦେଇଥିଲେ ।
ନିଜର ଶେଷ ମ୍ୟାଚରେ ଝୁଲନ ଗୋସ୍ୱାମୀ ଭଲ ପ୍ରଦର୍ଶନ କରିପାରି ନଥିଲେ । ସେ ପ୍ରଥମ ବଲ୍ରେ ହିଁ ଆଉଟ୍ ହୋଇ ପାଭଲିଅନକୁ ଫେରିଯାଇଥିଲେ । କିନ୍ତୁ ସେ ଆଉଟ୍ ହୋଇଯିବା ପରେ ମଧ୍ୟ ଦର୍ଶକ ତାଙ୍କ ଆଡ଼କୁ ଚାହିଁ ରହିଥିଲେ । ଝୁଲନ ୧୦ ଓଭର ବୋଲିଂ କରି ୩୦ ରନ୍ ଦେଇଥିଲେ । ସେ ୩ଟି ମେଡେନ ଓଭର ବୋଲିଂ କରିଥିଲେ ଏବଂ ୨ଟି ୱିକେଟ୍ ନେଇଥିଲେ । ରେଣୁକା ସିଂହଙ୍କୁ ୪ଟି ରାଜେଶ୍ୱରୀ ଗାଏକ୍ୱାଡଙ୍କୁ ୨ଟି ଓ ଦୀପ୍ତି ଶର୍ମାଙ୍କୁ ଗୋଟିଏ ୱିକେଟ ମିଳିଥିଲା ।