ମୁମ୍ବାଇ, ମେ ୦୮ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୫୩ତମ ମ୍ୟାଚ୍ରେ ଲଖନଉ ସୁପର ଜ୍ୟାଣ୍ଟ ଦମଦାର ବିଜୟ ହାସଲ କରିଛି । ଅପରପକ୍ଷେ କୋଲକାତାର ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଲଖନଉ ଟିମ୍ ୭ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା । ଜବାବରେ କୋଲକାତା ଟିମ୍ ୧୪.୩ ଓଭରରେ ୧୦୧ ରନ୍ରେ ଅଟକି ଯାଇଥିଲା ।
ଏହି ମ୍ୟାଚ୍ରେ ଲଖନଉ ଟିମ୍ର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ । ଅଭେସ ଖାନ୍ ଓ ଜେସନ ହୋଲଡର ୩-୩ ୱିକେଟ ନେଇଥିଲେ । ଅଭେସ୍ ଖାନ ଓ ମୋସିନ ଖାନ ଗୋଟିଏ ଲେଖାଏଁ ମେଡେନ ନେଇଥିଲେ । ମୋସନ ଖାନ ୩ ଓଭର ବୋଲି କରି ମାତ୍ର ୬ ରନ୍ ଖର୍ଚ୍ଚ କରିଥିଲେ ଓ ସେ ଗୋଟିଏ ୱିକେଟ୍ ନେଇଥିଲେ । ଦୁଷ୍ମନ୍ତ ଚମୀରା ୩ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେବା ସହ ମାତ୍ର ୧୪ ରନ୍ ଦେଇଥିଲେ । ଅବେସ ଖାନ ୧୯ ରନ୍, ହୋଲଡର ୩୧ ରନ୍ ଓ ରବି ବିଷ୍ନୋଇ ୩୦ ରନ୍ ଖର୍ଚ୍ଚ କରିଥିଲେ ।
କୋଲକାତା ପାଇଁ ଆନ୍ଦ୍ରେ ରସେଲ ସର୍ବାଧିକ ୪୫ ରନ୍ କରିଥିଲେ । ସେ ୧୯ଟି ବଲ୍ ଖେଳି ୩ଟି ଚୌକା ଓ ୫ଟି ଛକା ମାରିଥିଲେ । ସୁନୀଲ ନାରାୟଣ ୧୨ଟି ବଲ ଖେଳି ୨୨ ରନ୍ କରିଥିଲେ । ଆରୋନ ଫିଞ୍ଚ ୧୪ଟି ବଲ ଖେଳି ୧୪ ରନ୍ କରିଥିଲେ । ଅନଞ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।