ମୁମ୍ବାଇ, ମେ ୨୨ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୯ତମ ମ୍ୟାଚ୍ ରୋମାଞ୍ଚକର ହୋଇଛି । ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ରେ ପରାସ୍ତ କରିଛି । ପୂର୍ବରୁ ପ୍ଲେଅଫ୍ରୁ ବିଦାୟ ନେଇ ସାରିଥିବା ମୁମ୍ବାଇ ଟିମ୍ କିନ୍ତୁ ଦିଲ୍ଲୀର ବିକାଶ ପଥକୁ ଅଟକାଇ ଦେଇଛନ୍ତି । ଦିଲ୍ଲୀ ପରାଜିତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ଲେଅଫ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି ।
ଲଖନଉ ସୁପର ଜ୍ୟାଣ୍ଡ, ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ଲେଅଫ୍ ମ୍ୟାଚ ଖେଳାଯିବ । ଅର୍ଥାତ ଏହି ୪ଟି ଟିମ୍ ମଧ୍ୟରୁ ଆଇପିଏଲ୍-୨୦୨୨ର ଚାମ୍ପିଅନ ମିଳିବ । ମେ’ ୨୪ ତାରିଖରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲଖନଉ ମଧ୍ୟରେ ମେ’ ୨୫ ତାରିଖରେ ମୁକାବିଲା ହେବ ।
ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୫୯ ରନ୍ କରିଥିଲା । ଜବାବରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିଥିବା ମୁମ୍ବାଇ ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୫ଟି ୱିକେଟ ହରାଇ ହାସଲ କରିଥିଲା । ମୁମ୍ବାଇ ପାଇଁ ଈଶନ କିଶନ ସର୍ବାଧିକ ୪୮ ରନ୍ ସଂଗ୍ରହ କରିଥିଲେ । ଏଥିରେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ । ଡେୱାଲ୍ଡ ବ୍ରେଭିସ ୩୭ ରନ୍, ଟିମ୍ ଡାଭିଡ ୩୪ ରନ୍, ତିଲକ ବର୍ମା ୨୧ ରନ୍ ଓ ରମନଦୀପ ସିଂହ ଅପରାଜିତ ୧୩ ରନ୍ ସଂଗ୍ରହ କରିଥିଲେ ।
ଦିଲ୍ଲୀ ପକ୍ଷରୁ ରୋଭମ୍ୟାନ ପାୱେଲ ସର୍ବାଧିକ ୪୩ ରନ୍, ଅଧିନାୟକ ଋଷଭ ପନ୍ତ ୩୯ ରନ୍, ପ୍ରାରମ୍ଭିକ ବ୍ୟାଟର ପୃଥ୍ୱୀ ସ’ ୨୪ ରନ୍ ଓ ଅକ୍ଷର ପଟେଲ ୧୯ ରନ୍ କରିଥିଲେ । ମୁମ୍ବାଇର ଦ୍ରୁତ ବୋଲର ଜସପ୍ରୀତ ବୁମାର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେହିପରି ରମନଦୀପ ସିଂହଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଡାନିଏଲ୍ ସାମ୍ସ ଓ ମାର୍କଣ୍ଡେଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।