ବିଶାଖାପାଟନମ୍, ଜୁନ୍ ୧୫ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକା ବିରୋଧରେ ଚାଲିଥିବା ଟି-୨୦ ଶୃଙ୍ଖଳାରେ ଭାରତ ପ୍ରଥମ ଥର ପାଇଁ ବିଜୟ ହାସଲ କରିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକାକୁ ଋଷଭ ପନ୍ତଙ୍କ ବାହିନୀ ୪୮ ରନ୍ରେ ପରାସ୍ତ କରିଛି । ଏଥି ସହିତ ଭାରତର ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ ହୋଇଛି ଏବଂ ଏବେ ସ୍କୋର ୧-୨ରେ ପହଞ୍ଚିଛି । ଶୃଙ୍ଖଳାର ପରବର୍ତ୍ତୀ ମ୍ୟାଚ ରାଜକୋଟରେ ଦିନକ ପରେ (ଜୁନ ୧୭) ଖେଳାଯିବ ।
ଅଧିନାୟକ ପନ୍ତଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଭାରତକୁ ବିଜୟ ମିଳିଛି । ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟି କରିଥିଲା ଏବଂ ଋତୁରାଜ ଗାଏକ୍ୱାର୍ଡ-ଈଶାନ କିଶନ ଯୋଡ଼ି ଭଲ ବ୍ୟାଟିଂ କରିଥିଲେ । ସେମାନଙ୍କ ଭଲ ଭାଗିଦାରୀ ଯୋଗୁଁ ଭାରତର ସ୍କୋର ୧୭୯ରେ ପହଞ୍ଚିଥିଲା । ଏହା ପୂର୍ବରୁ ଭାରତ ନୂଆଦିଲ୍ଲୀ ଓ କଟକରେ ଭଲ ପ୍ରଦର୍ଶନ କରିପାରି ନଥିଲା । ଟିମ୍ ଇଣ୍ଡିଆର ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅତିଥି ଟିମ୍ ପ୍ରଥମ ୨ଟି ମ୍ୟାଚକୁ ଯଥାକ୍ରମେ ୭ ଓ ୪ ୱିକେଟରେ ଜିତିଥିଲା ।
ଟିମ ଇଣ୍ଡିଆ ତରଫରୁ ଦ୍ରୁତ ବୋଲର ହର୍ଷଲ ପଟେଲ ଭଲ ବୋଲିଂ କରିଥିଲେ । ସେ ୩.୧ ଓଭରରେ କେବଳ ୨୫ ରନ୍ ଖର୍ଚ୍ଚ କରି ୪ ବଡ଼ ୱିକେଟ ନେଇଥିଲେ । ବିଗତ ୨ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିଲେ ବି ଯୁଜବେନ୍ଦ୍ର ଚହଲ ୪ ଓଭରରେ ୨୦ ରନ୍ ଦେଇ ୩ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ୧୮୦ ରନ୍ର ବିଜୟ ଲକ୍ଷ୍ୟ ନେଇ ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୧ ରନ୍ରେ ଅଟକି ଯାଇଥିଲା । ହେନ୍ରିଚ କ୍ଲାସେନ କଟକରେ ୮୧ ରନ୍ ସଂଗ୍ରହ କରିଥିବା ବେଳେ ବିଶାଖାପାଟଣାରେ ଦଳ ପାଇଁ ସର୍ବାଧିକ ୨୯ ରନ୍ ଯୋଡ଼ିଥିଲେ । ଡେଭିଡ ମିଲରଙ୍କ ବ୍ୟାଟ ମଧ୍ୟ ଠିକ୍ଭାବେ ଚାଲିପାରି ନଥିଲା । ସେ ମାତ୍ର ୩ ରନ୍ କରି ଆଉଟ ହୋଇଥିଲେ ।