ଜାଭେଦ ମିୟାଦାଦଙ୍କ ରେକର୍ଡ ଅତିକ୍ରମ କରିବାକୁ ବିରାଟ କୋହଲିଙ୍କୁ ଦରକାର ମାତ୍ର ୧୯ ରନ

ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ରବିବାର ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଦିନିକିଆରେ ରେକର୍ଡ ଅତିକ୍ରମ କରିବା ଲୟରେ ରହିବେ । କୋହଲି ଏହି ମ୍ୟାଚରେ ମାତ୍ର ୧୯ ରନ ସଂଗ୍ରହ କଲେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ହାସଲକାରୀ ଖେଳାଳି ଭାବେ ରେକର୍ଡ ପ୍ରତିଷ୍ଠା କରିବେ । ଏହି ରେକର୍ଡ ଏଯାଏଁ ପାକିସ୍ତାନର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାଭେଦ ମିୟାଦାଦଙ୍କ ନାମରେ ରହିଛି । 

ୱେଷ୍ଟଇଣ୍ଡିଜ ବିପକ୍ଷରେ ମିୟାଦାଦ ୬୪ଟି ମ୍ୟାଚର ୬୪ଟି ଇନିଂସରେ ୩୩.୮୫ ହାରରେ ୧୯୩୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସାମିଲ ଅଛି । ମିୟାଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଶେଷ ଦିନିକିଆ ୧୯୯୩ରେ ଖେଳିଥିଲେ । ଅନ୍ୟପକ୍ଷରେ ଭାରତର ବିରାଟ କୋହଲି ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୩ଟି ଇନିଂସରେ ୭୦.୮୧ ହାରରେ ୧୯୧୨ ରନ କରିଛନ୍ତି । ଏଥିରେ ସର୍ବାଧିକ ୭ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ଅଛି । ଅର୍ଥାତ ମିୟାଦାଦଙ୍କ ତୁଳନାରେ କୋହଲି ଏବେ ମାତ୍ର ୧୮ ରନ ପଛରେ ଅଛନ୍ତି । 

ଉପରୋକ୍ତ ତାଲିକାରେ ଅଷ୍ଟ୍ରେଲିଆ ମାର୍କ ୱ (୧୭୦୮ ରନ) ସହିତ ୩ୟ ସ୍ଥାନ, ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଜ୍ୟାକ କାଲିସ (୧୬୬୬ ରନ), ପାକିସ୍ତାନର ରମୀଜ ରାଜା (୧୬୨୪ ରନ) ଓ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୧୫୭୩ ରନ) ୫ମ ସ୍ଥାନ ପାଇଛନ୍ତି । ରାହୁଲ ଦ୍ରାବିଡ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୮ଟି ଇନିଂସରେ ୧୩୪୮ ରନ କରିଥିଲେ । 

ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଯିବା ପରେ ଭାରତ ୨ୟ ଦିନିକିଆ ପାଇଁ ନିଜର ରଣନୀତି ପ୍ରସ୍ତୁତ କରିଛି । ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଆଜି ରାତି ୭ଟାରୁ ଖେଳାଯିବ । 

 

  • Tags:

Subscribe

National International State Sports Entertainment