ଲଣ୍ଡନ, ଅଗଷ୍ଟ ୧୩ (ଖବର ଓଡ଼ିଶା): ଏମସିସି କ୍ରିକେଟ କମିଟି ଅଧ୍ୟକ୍ଷ ମାଇକ ଗ୍ରେଟିଙ୍ଗ କହିଛନ୍ତି, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟକୁ ୨୦୨୮ରେ ଲସ ଏଞ୍ଜେଲେସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକରେ ସାମିଲ କରିବାକୁ ଉଦ୍ୟମ ଚାଲିଛି । ଚଳିତ ସପ୍ତାହ ଲଡର୍ସରେ ଆଇସିସିର ନୂତନ କାର୍ଯ୍ୟକାରୀ ଅଧିକାରୀ ମନୁ ସ୍ୱାହନେ ଦ୍ୱାରା ହୋଇଥିବା ଆଲୋଚନା ପରେ ଗେଟିଙ୍ଗ ଏହା କହିଛନ୍ତି ।
ଏକ ୱେବସାଇଟରେ ଗେଟିଙ୍ଗଙ୍କ ପକ୍ଷରୁ ଲେଖାଯାଇଛି ଯେ, ଆମେ ମନୁ ସ୍ୱାହନେଙ୍କ ସହିତ ଆଲୋଚନା କରିଥିଲୁ ଏବଂ ସେ ଦୃଢ଼ତାର ସହିତ ଆଶାରେ ଅଛନ୍ତି ଯେ, କ୍ରିକେଟକୁ ୨୦୨୮ ଅଲିମ୍ପିକ୍ସ ଖେଳରେ ସ୍ଥାନ ମିଳିପାରେ । ଏଥି ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ଯଦି କ୍ରିକେଟକୁ ଅଲିମ୍ପିକରେ ସ୍ଥାନ ମିଳିଯାଏ, ନିଶ୍ଚିତ ଭାବରେ କୁହାଯାଇପାରି ଯେ, ଏହା ଏକ ବଡ଼ ସଫଳତା ।
ନିକଟରେ ଘୋଷଣା କରାଯାଇଥିଲା ଯେ, ମହିଳା କ୍ରିକେଟକୁ ୨୦୨୨ରେ ଆୟୋଜିତ ହେବାକୁ ଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯିବ । ଗେଟିଙ୍ଗ କହିଛନ୍ତି, ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ।
ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କହିଛନ୍ତି, ମୁଁ ଭାବୁଛି ଯେ, ଖୁବଶୀଘ୍ର ଏବାବଦରେ ନିଷ୍ପତ୍ତି ହୋଇଯିବ ଯେ, ମହିଳା କ୍ରିକେଟର ଏଜବେଷ୍ଟନରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ନା ନାହିଁ । ଆମେ ଆଶା କରୁଛୁ ଯେ, ଏହି ମାମଲାକୁ ମଂଜୁରୀ ମିଳିଯିବ ।