ନୂଆଦିଲ୍ଲୀ: ଆଇସିସି ବୁଧବାର ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି। ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ଟପ୍-୫ରେ ପ୍ରବେଶ କରିଛନ୍ତି। ଯଦିଓ ଟିମ୍ ଇଣ୍ଡିଆ ଏହି ସପ୍ତାହରେ କୌଣସି ଦିନିକିଆ ମ୍ୟାଚ୍ ଖେଳିନାହିଁ ତଥାପି ବାବର ଆଜମଙ୍କ ଫ୍ଲପ୍ ପ୍ରଦର୍ଶନ କୋହଲି ଏବଂ ଶ୍ରୀଲଙ୍କାର ଚରିଥ୍ ଅସଲଙ୍କାକୁ ଲାଭ ଦେଇଛି। ବାବର ଦୁଇଟି ସ୍ଥାନ ଖସିଥିବା ବେଳେ ରୋହିତ ଶର୍ମା ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ଆଇସିସି ରାଙ୍କିଙ୍ଗରେ ନମ୍ବର-୧ ଦିନିକିଆ ବ୍ୟାଟର ରୋହିତ ଶର୍ମାଙ୍କ ରେଟିଂ ପଏଣ୍ଟ ୭୮୧ ରହିଛି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଦିନିକିଆରେ ୭୩ ଓ ତୃତୀୟ ଦିନିକିଆରେ ଅପରାଜିତ ୧୨୧ ରନ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ଗତ ସପ୍ତାହରେ ଦିନିକିଆ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲେ। ଏହି ସପ୍ତାହରେ ନିଜର ସ୍ଥାନ ବଜାୟ ରଖି ପାରିଛନ୍ତି। ତାଲିକାରେ ଶୀର୍ଷ ଚାରି ବ୍ୟାଟରଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଟିମ୍ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ୍ ଚତୁର୍ଥ ସ୍ଥାନରେ ଅଛନ୍ତି। ଗିଲଙ୍କ ରେଟିଂ ପଏଣ୍ଟ ୭୪୫ ରହିଛି।
ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ମ୍ୟାଚରେ ଶୂନ୍ୟରେ ଆଉଟ ହୋଇଥିଲେ, କିନ୍ତୁ ତୃତୀୟ ମ୍ୟାଚ୍ ରେ ସେ ୭୪ ରନର ଚମତ୍କାର ଇନିଂସ ଖେଳିଥିଲେ। ତେବେ ବାବର ଆଜମଙ୍କ ବିଫଳ ପ୍ରଦର୍ଶନ ଯୋଗୁଁ କୋହଲି ଶ୍ରେଷ୍ଠ ପାଞ୍ଚରେ ପ୍ରବେଶ ପାରିଛନ୍ତି। ଗତ ସପ୍ତାହରେ, ବାବର ଆଜମ ତିନୋଟି ଦିନିକିଆ ଖେଳିଥିଲେ। ନଭେମ୍ବର ୬ ଏବଂ ୮ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଯଥାକ୍ରମେ ୧୧ ଏବଂ ୨୭ ରନ କରି ଆଉଟ ହୋଇଥିଲେ। ନଭେମ୍ବର ୧୧ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ସେ କେବଳ ୨୯ ରନ କରିପାରିଥିଲେ। ଫଳରେ ତାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି।
ଆଇସିସି ରାଙ୍କିଙ୍ଗରେ ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟର
ରୋହିତ ଶର୍ମା (ଭାରତ) - ୭୮୧
ଇବ୍ରାହିମ୍ ଜାଦ୍ରାନ୍ (ଆଫଗାନିସ୍ତାନ) - ୭୬୪
ଡାରିଲ୍ ମିଚେଲ୍ (ନ୍ୟୁଜିଲାଣ୍ଡ) - ୭୪୬
ଶୁଭମନ ଗିଲ୍ (ଭାରତ) - ୭୪୫
ବିରାଟ କୋହଲି (ଭାରତ) - ୭୨୫
ଚରିଥ୍ ଅସଲାଙ୍କା (ଶ୍ରୀଲଙ୍କା) - ୭୧୦
ବାବର ଆଜମ (ପାକିସ୍ତାନ) - ୭୦୯
ହ୍ୟାରି ଟେକ୍ଟର (ଆୟର୍ଲାଣ୍ଡ) - ୭୦୮
ଶ୍ରେୟସ୍ ଆୟର (ଭାରତ) - ୭୦୦
ଶାଇ ହୋପ୍ (ୱେଷ୍ଟଇଣ୍ଡିଜ୍) – ୬୯୦