ଆଜି ପଖାଳ ଦିବସ: ଓଡ଼ିଶାରୁ ଅଷ୍ଟ୍ରେଲିଆ ସବୁଠି ପଖାଳ ମହକ, ଜାଣନ୍ତୁ କଣ ରହିଛି ଉପକାରିତା
ଭୁବନେଶ୍ୱର, ମାର୍ଚ୍ଚ ୨୦(ଖବର ଓଡ଼ିଶା): ଆଜି ପଖାଳ ଦିବସ । କେବଳ ଓଡ଼ିଆଙ୍କ ନୁହେଁ ପୁରା ବିଶ୍ୱରେ ଏବେ ସମସ୍ତଙ୍କ ପସନ୍ଦ ପଖାଳ । ଓଡ଼ିଶାରେ ‘ପଖାଳ’, ବିହାରରେ ‘ଗିଲ୍ ଭାତ୍’, ଆସାମରେ ‘ପୋଇତା ଭାତ୍’, କୋଲକାତାରେ ‘ପାନତା ଭାତ୍’, କେରଳରେ ‘ପଜହମ୍ କାଞ୍ଜି’ ଓ ତାମିଲନାଡୁରେ ‘ପଜ୍ହାୟା ସଦମ୍’ ନାମରେ ଜଣାଶୁଣା ଆମ ପ୍ରୀୟ ପଖାଳ ।
ତେବେ କେବଳ ଭାରତ ନୁହେଁ କରୋନା ପରେ ଏବେ ବିଶ୍ୱରେ ବି ବେଶ୍ ପରିଚିତ ଏହି ସ୍ୱାଦିଷ୍ଟ ଖାଦ୍ୟ । ଏମ୍ସର ଗୋଟିଏ ରିସର୍ଚ୍ଚ ଅନୂଯାଇ ପଖାଳରେ କରୋନାକୁ ହରାଇବା ଭଳି ଇମ୍ୟୁନିଟି ରହିଥାଏ । ତେଣୁ ପଖାଳ ଖାଇବା ଦ୍ୱାରା କରୋନାକୁ ପ୍ରତିହତ କରାଯାଇ ପାରିବ । ଏହି ଗବେଷଣା ପ୍ରକାଶ ପାଇବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ଇଣ୍ଟରନେଟ୍ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ପଖାଳକୁ ।
ନିକଟରେ ମାଷ୍ଟର ସେଫ୍ ଅଷ୍ଟ୍ରେଲିଆରେ ମଧ୍ୟ ପଖାଳକୁ ଦର୍ଶାଯାଇଥିଲା । ଏବଂ ଏହି ସାଧା ଓ ସହଜ ଖାଇବାର ମହକ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା । ବିଶେଷ ଭାବରେ ଖରାଦିନେ ପଖାଳର ଚାହିଦା ଅଧିକ ରହିଆସିଛି । ଏଥିରେ ଥଣ୍ଡା ଗୁଣ ସହିତ ଶରୀର ପାଇଁ ଆବଶ୍ୟକୀୟ ପ୍ରୋବାୟୋଟିକ୍ ମଧ୍ୟ ରହିଥାଏ ଯାହା ଶରୀରର ପାକସ୍ଥଳୀକୁ ସୁସ୍ଥ ରଖିଥାଏ ।
ଏହା ସହିତ ପଖାଳରେ କାର୍ବୋହାଇଡ୍ରେଟ୍ ମଧ୍ୟ ପ୍ରଚୁର ପରିମାଣର ରହିଥାଏ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ମଣିଷକୁ ଇମ୍ୟୁନିଟି ଯୋଗଇଥାଏ । ସେଥିପାଇଁ ତ ଆମେ କହୁ ଓଡ଼ିଶାରୁ ଅଷ୍ଟ୍ରେଲିଆ ଏବେ ସବୁଠି ପଖାଳ ମହକ ।