ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ କୃଷିବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ମିଳିତ ଉଦ୍ୟମରେ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକର ନାଥୁଆ ଗ୍ରାମଠାରେ ଏକ ବଳଦ ଟଣା ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ କୃଷକ ମେଳାର ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ଯନ୍ତ୍ରପାତିର ପଟଚିତ୍ର ତଥା ଓୟୁଏଟି ଉନ୍ନତ ଜୁଆଳି, ବଳଦ ଟଣା ମୋଡ ପତ୍ର ଲଙ୍ଗଳ, କାଦୁଅ କରିବା ଯନ୍ତ୍ର, ଓ ପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ର ଇତ୍ୟାଦିର ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା। ଆଖପାଖ ଅଂଚଳରୁ ନିମନ୍ତ୍ରୀତ ଶତାଧିକ ଅଗ୍ରଣୀ ଚାଷୀ, ଢେଙ୍କାନାଳର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଅଂଶୁମାନ ପଟ୍ଟନାୟକ, ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ବିମଳେନ୍ଦୁ ମହାନ୍ତି, ଉଦ୍ୟାନ ବିଭାଗ ବୈଜ୍ଞାନିକ ଦିବ୍ୟ ସୁନ୍ଦର କର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ଉନ୍ନତ ବଳଦ ଟଣା ଯନ୍ତ୍ରପାତିର ବିକାଶ, ବ୍ୟବହାର, ଉପାଦେୟତା, ମରାମତି ତଥା ନିୟନ୍ତ୍ରଣ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଭାଇମାନେ ପ୍ରକଳ୍ପ ତରଫରୁ ବିକଶିତ ଉନ୍ନତ ବଳଦ ଟଣା କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷ କାମ ଗୁଡିକୁ କମ୍ ଖର୍ଚରେ, କମ୍ ସମୟରେ, ଅଳ୍ପ ପରିଶ୍ରମରେ କରି ବେଶି ଲାଭବାନ ହୋଇପାରିବେ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ବିମଳେନ୍ଦୁ ମହାନ୍ତି ଉପସ୍ଥିତା ଚାଷୀମାନଙ୍କୁ ବୁଝାଇଥିଲେ ।
ପ୍ରକାଶ ଥାଉ କି ଗତ ବର୍ଷ ମାନଙ୍କରେ ଢେଙ୍କାନାଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ ପ୍ରକଳ୍ପର ମିଳିତ ଉଦ୍ୟମରେ ଏହି ଅଂଚଳର ଚାଷୀମାନଙ୍କୁ ନେଇ ଅନେକ ଅନଲାଇନ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀଯୁକ୍ତ ଅଂଶୁମାନ ପଟ୍ଟନାୟକ ଜିଲ୍ଲାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଭାଇ ମାନେ ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନତ ବଳଦ ଟଣା ଯନ୍ତ୍ରପାତିର ବ୍ୟବହାରକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତଙ୍କ ସହାୟତା କାମନା କରିଥିଲେ ।
ସମ୍ପ୍ରତି ବଳଦ ଟଣା କୃଷି ଯନ୍ତ୍ରପାତି ବ୍ୟବହାର କରାଗଲେ ଜମିରେ ମାଟିର ଗୁଣବତ୍ତା ବଜାୟ ରହିବା ସହ ଗୋବର ଖତର ବ୍ୟବହାର ବୃଦ୍ଧି ହେବା ଯୋଗୁ ଉତ୍ପାଦନ ମଧ୍ୟ ବଢିପାରିବ ବୋଲି ବିଶେଷଣଜ୍ଞ ମାନେ ମତ ରଖିଥିଲେ ଯାହାକି ଏହି ଅଂଚଳର ଚାଷୀମାନଙ୍କ ପାଇଁ ବିଶେଷ ଲାଭଜନକ ହେବ । ତେବେ ପ୍ରକଳ୍ପ ତରଫରୁ ଏହିସବୁ ଯନ୍ତ୍ର ଗୁଡିକ ଉପରେ ସରକାରୀ ରିହାତିର ବ୍ୟବସ୍ଥା କରାଯିବାପାଇଁ ପ୍ରୟାସ ଜାରି ରହିଛି ଓ ଚାଷୀଭାଇ ମାନେ ଏହିପରି ଯନ୍ତ୍ର ଗୁଡିକର ସହଜରେ ବ୍ୟବହାର କରି ଅଧିକ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଉଛି ।
ଓଡିଶା ସରକାରଙ୍କର ଅନେକ କାର୍ଯ୍ୟକ୍ରମ ଜରିଆରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାଇ ମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇଦେବାପାଇଁ ମଧ୍ୟ ଅନେକ ପ୍ରୋତ୍ସାହନ ଯୋଗାଇଦିଆଯାଉଛି । ଏହି ସବୁ ଯନ୍ତ୍ରଗୁଡିକର ସଫଳ ବ୍ୟବହାର କରି ଉକ୍ତ ବର୍ଗର ଚାଷୀଭାଇମାନେ ବିଶେଷ ଉପକୃତ ହୋଇପାରିବେ । ସାମ୍ପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ସରକାରୀ କୋଭିଡ କଟକଣା ମଧ୍ୟରେ ପ୍ରକଳ୍ପ ତରଫରୁ ଆୟୋଜିତ ଏହିପରି କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ ।