Khabar Odisha

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ଝଟକା; ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି, ଖାରଜ ହେଲା ଆଗୁଆ ଜାମିନ
ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାପରେ ମାମଲାରେ ତାଙ୍କ ଆଗାମୀ ଆଇନଗତ ପଦକ୍ଷେପକୁ ନେଇ ଚର୍ଚ୍ଚା ବଢ଼ିଛି।

ଗିରଫଦାରୀରୁ ସୁରକ୍ଷା ପାଇଁ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଏହା ପୂର୍ବରୁ କୋର୍ଟ ତାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିବା ସହ ତଦନ୍ତକାରୀ ସଂସ୍ଥାକୁ କେସ୍ ଡାଏରୀ ଦାଖଲ କରିବାକୁ କହିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିବା ସହ ଆଇନ ଅନୁଯାୟୀ ଆଗୁଆ ଜାମିନ ଆବେଦନ କରିବାକୁ ଅନୁମତି ଦେଇଥିଲେ।

ଅନ୍ୟପଟେ, ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି SDJM କୋର୍ଟ ଏହି ମାମଲାରେ IPCର ଧାରା ୩୦୨ (ହତ୍ୟା) ଏବଂ ୧୨୦-B (ଅପରାଧିକ ଷଡ଼ଯନ୍ତ୍ର) ଅନୁସାରେ ସଂଜ୍ଞାନ ଗ୍ରହଣ କରିଛନ୍ତି।

ପୂର୍ବରୁ ଅକ୍ଟୋବର ୧ ତାରିଖ ପରିବର୍ତ୍ତେ ଅକ୍ଟୋବର ୩୦ ସୁଦ୍ଧା ନିମ୍ନ ଅଦାଲତରେ ହାଜର ହେବା ପାଇଁ ବିଦ୍ୟାଭାରତୀଙ୍କୁ ସମୟ ଦେଇଥିଲେ ହାଇକୋର୍ଟ। କିନ୍ତୁ ନିର୍ଦ୍ଧାରିତ ସମୟରେ ନିମ୍ନ ଅଦାଲତରେ ହାଜର ହେବା ପରିବର୍ତ୍ତେ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

୨୦୨୧ରୁ ଚାଲିଛି ମାମଲା

୨୦୨୧ ଜୁଲାଇ ୧୨ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ACF ସୌମ୍ୟରଞ୍ଜନ ମହାପାତ୍ର। ପରଦିନ ଅର୍ଥାତ୍ ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହି ମାମଲାରେ ତତ୍କାଳୀନ DFO ଏବଂ ରୋଷେୟାଙ୍କୁ ପୂର୍ବରୁ ଗିରଫ କରାଯାଇସାରିଛି। ଏବେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସେ ପରବର୍ତ୍ତୀ ସମୟରେ କେଉଁ ଆଇନଗତ ପଦକ୍ଷେପ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପାଗଳ ପ୍ରେମିକର ଉନ୍ମତ କାଣ୍ଡ: ବିଦ୍ୟାଳୟରେ ଛାତ୍ରୀଙ୍କୁ ଆକ୍ରମଣ, ୨ ଛାତ୍ରୀଙ୍କ ଅବସ୍ଥା ସଙ୍ଗୀନ
ଅନନ୍ତପୁର: ଆନ୍ଧ୍ର ପ୍ରଦେଶ ଅନନ୍ତପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଯାଇଛି । ଏକତରଫା ପ୍ରେମରେ ବିଫଳ ହେବାରୁ ଜଣେ ଯୁବକ ନାବାଳିକା ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଏଥିରେ ଦୁଇ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି । ପୋଲିସ ଅଭିଯୁକ୍ତ ହେମନ୍ତ ଓରଫ୍ ଡୁମ୍ମୁ (୨୨)କୁ ରେଳ ଷ୍ଟେସନରୁ ଗିରଫ କରିଛି । ଖୋଦ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ସତ୍ୟସାଇ ଜିଲ୍ଲା ଧର୍ମବରମ୍ ମଣ୍ଡଳ ନାଗାଲୁର ବାସିନ୍ଦା ହେମନ୍ତ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଅନନ୍ତପୁର ଜିଲ୍ଲା ରାପତାଡ଼ୁ ଗ୍ରାମର ଜିଲ୍ଲା ପରିଷଦ ହାଇସ୍କୁଲରେ ଅଚାନକ ଏକ କାଠ କଟା ଆରି ଧରି ପ୍ରବେଶ କରିଥିଲା । ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷକ ପଢ଼ାଉଥିବାବେଳେ ହଠାତ ଜଣେ ଛାତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ତାକୁ ବଞ୍ଚାଇବାକୁ ପାଖରେ ଥିବା ଛାତ୍ରୀ ଜଣକ ଆକ୍ରମଣର ଶିକାର ହୋଇଥିଲା । ଏହା ପରେ ତୁରନ୍ତ ଫେରାର ହୋଇଯାଇଥିଲା ।

ଶିକ୍ଷକ ତୁରନ୍ତ ଉଭୟ ଛାତ୍ରୀଙ୍କୁ ଅନନ୍ତପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ବେଙ୍ଗାଲୁରୁ ଏକ ହସ୍ପିଟାଲକୁ ଏୟାର ଆମ୍ବୁଲାନ୍ସ ଜରିଆରେ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କ ଏକ ଅସ୍ତ୍ରୋପଚାର ଜରୁରୀ ବୋଲି ଜଣାପଡ଼ିଛି ।

ସେପଟେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା । ତୁରନ୍ତ ଫେରାର ଅଭିଯୁକ୍ତକୁ ଧରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା । ଧର୍ମାବରମ ରେଳ ଷ୍ଟେସନରୁ ତାକୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ସେ ଛାତ୍ରୀଙ୍କ ଦୂର ସମ୍ପର୍କୀୟ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଘଟଣା ସମ୍ପର୍କରେ ଅବଗତ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ 'ଏକ୍ସ' ରେ ଲେଖିଛନ୍ତି, ସମାଜରେ ଏଭଳି ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ, ଯେଉଁମାନେ ବିଦ୍ୟାଳୟ ପରିସର ମଧ୍ୟରେ ଝିଅମାନଙ୍କୁ ଟାର୍ଗେଟ କରନ୍ତି। ସେ ବ୍ୟକ୍ତିଗତଭାବେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି ।  ସର୍ବୋଚ୍ଚ ପ୍ରାଥମିକତା ଦେଇ ଚିକିତ୍ସା ଯୋଗାଇବାକୁ ଡାକ୍ତରୀ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପାଇଁ ଦାୟୀ ଥିବା ସେହି ନୀଚ ବ୍ୟକ୍ତିକୁ ଖୋଜି ବାହାର କରିବାକୁ ଏବଂ ତାକୁ ଯଥାଶୀଘ୍ର କଠୋରତମ ଆଇନଗତ ଦଣ୍ଡ ଦେବା ସୁନିଶ୍ଚିତ କରିବାକୁ ପୋଲିସକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନାଇଡ଼ୁ ନିର୍ଦ୍ଦେଶ ଦେଇଛନ୍ତି ।

୮ ବର୍ଷର ଆଇନଗତ ଲଢ଼େଇ; ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ବିରୋଧରେ ପୁଣି ୱାରେଣ୍ଟ, ଜାରି ହେଲା ଗିରଫ ପରୱାନା
ଦିଲ୍ଲୀ: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଅଡୁଆ ବଢ଼ିଲା। ୮ ବର୍ଷ ପୁରୁଣା ଅପରାଧିକ ମାନହାନି ମାମଲାରେ ତାଙ୍କ ବିରୋଧରେ ପୁଣି ଜାମିନଯୋଗ୍ୟ ଗିରଫ ପରୱାନା (Bailable Warrant) ଜାରି କରିଛନ୍ତି ଦିଲ୍ଲୀର ସାକେତ କୋର୍ଟ। ଅଭିଯୋଗକାରୀ ବିକାଶ ପାଣ୍ଡେଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଶନିବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥର ଗୁରୁଗ୍ରାମ ସ୍ଥିତ ତାଙ୍କ ଠିକଣାକୁ ପରୱାନା ପଠାଯିବ।

ସୂଚନା ଅନୁସାରେ, ଧ୍ରୁବଙ୍କୁ ହାଜର କରିବା ପାଇଁ ଅକ୍ଟୋବର ୧୭ରେ ମଧ୍ୟ କୋର୍ଟ ଜାମିନଯୋଗ୍ୟ ପରୱାନା ଜାରି କରିଥିଲେ। ତେବେ ତାଙ୍କ ଅଷ୍ଟ୍ରିଆ ଠିକଣା ଭୁଲ୍ ଥିବାରୁ ଏହା ସାମିଲ ହୋଇପାରିନଥିଲା। ଏହା ପୂର୍ବରୁ ଜାରି ହୋଇଥିବା ସମନ୍ ମଧ୍ୟ ତାଙ୍କ ଘର ବନ୍ଦ ଥିବାରୁ ପହଞ୍ଚି ପାରିନଥିଲା। ଶନିବାର କୋର୍ଟଙ୍କୁ ଧ୍ରୁବ ରାଠୀ ଭାରତ ଛାଡ଼ି ସାରିଥିବା ସୂଚନା ଦିଆଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ରେ ହେବ।

କେଉଁ ଭିଡିଓକୁ ନେଇ ମାମଲା?

‘BJP IT Cell Part 2’ ଶୀର୍ଷକ ଏକ ଭିଡିଓକୁ ନେଇ ଏହି ମାନହାନି ମାମଲା ଦାୟର ହୋଇଥିଲା। ଅଭିଯୋଗ ଅନୁସାରେ, ଏହି ଭିଡିଓରେ ବିକାଶ ପାଣ୍ଡେଙ୍କ ସମ୍ମାନହାନି କରାଯାଇଥିଲା। ସେ ‘I Support Narendra Modi’ ନାମକ ସୋସିଆଲ ମିଡିଆ ପେଜ୍‌ର ପ୍ରତିଷ୍ଠାତା।

୨୦୧୮ରେ ଆମ୍ ଆଦମୀ ପାର୍ଟି (AAP)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଭିଡିଓକୁ ରିଟ୍ୱିଟ୍ କରିଥିଲେ। ପରେ ୨୦୨୪ ଫେବ୍ରୁଆରୀରେ ସୁପ୍ରିମକୋର୍ଟରେ ସେ ଏହାକୁ ରିଟ୍ୱିଟ୍ କରିବା ନିଜର ଭୁଲ୍ ଥିଲା ବୋଲି ସ୍ୱୀକାର କରିଥିଲେ।

ଏହି ମାମଲାରେ ୨୦୧୯ରୁ ଧ୍ରୁବଙ୍କୁ ସମନ୍ ପହଞ୍ଚାଇବାରେ ବାରମ୍ବାର ସମସ୍ୟା ହେଉଥିବାରୁ ଶୁଣାଣି ଆଗକୁ ବଢ଼ିପାରିନଥିଲା। ଏବେ ପୁଣି ଥରେ ପରୱାନା ଜାରି ହେବା ପରେ ମାମଲା କେଉଁ ମୋଡ଼ ନେଉଛି, ତାହା ଉପରେ ନଜର ରହିଛି।

ତାମିଲନାଡ଼ୁରେ ଆକ୍ରମଣ କରି ଜେଲରୁ ୧୭ କଏଦୀ ଫେରାର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଚେନ୍ନାଇ: ତାମିଲନାଡୁର ଥେନି ଜିଲ୍ଲାରେ ଥିବା ଥେକ୍କାମ୍ପାଟ୍ଟି ଉପ-କାରାଗାରରେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ୧୭ ଜଣ କଏଦୀ ଫେରାରେ ହେବାରେ ସଫଳ ହୋଇଛନ୍ତି । ଅସୁସ୍ଥତାର ବାହାନା କରି ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରି ଜେରୁ ଚମ୍ପଟ୍ ମାରିଛନ୍ତି । ପଳାତକ କଏଦୀଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ବାକି ଫେରାର କଏଦୀଙ୍କୁ ଧରିବାକୁ ୧୭ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିବା ଦକ୍ଷିଣ ଜୋନର ଆଇଜିପି ବିଜୟେନ୍ଦ୍ର ବିଦାରୀଙ୍କ ସୂଚନା ଦେଇଛନ୍ତି ।

ପୋଲିସର କହିବା ଅନୁଯାୟୀ,  ୧୭ ଜଣ କଏଦୀ ଗୋଟିଏ ବାରାକ୍‌ରେ ରହୁଥିଲେ। ପୂର୍ବ ଯୋଜନା ମୁତାବକ ଜଣେ କଏଦୀ ଅସୁସ୍ଥ ହୋଇପଡ଼ିଥିବା ନେଇ ଜେଲ କର୍ମଚାରୀଙ୍କୁ କହିଥିଲେ । ଜଣଙ୍କୁ ବାତ ମାରୁଥିବା ନେଇ କହିଥିଲେ । ସାହାଯ୍ୟ କରିବା ପାଇଁ ଜେଲ୍ କର୍ମଚାରୀମାନେ ଯେମିତି ବାରାକ୍ ଭିତରକୁ ପ୍ରବେଶ କଲେ, କଏଦୀମାନେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଦେଲେ ଏବଂ ସେଠାରୁ ଖସି ପଳାଇବାରେ ସଫଳ ହେଲେ।

କଏଦୀମାନଙ୍କର ଏହି ଆକ୍ରମଣରେ କାରାଗାରର ଜଣେ ଗ୍ରେଡ୍-୨ ପୋଲିସ ଅଧିକାରୀ ଥଙ୍ଗାପାଣ୍ଡିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଜି. ଭିଲାକ୍କୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏହା ବ୍ୟତୀତ, ଡ୍ୟୁଟିରେ ଥିବା ଅନ୍ୟ ଦୁଇ ଜଣ କାରାଗାର କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ତେବେ ପୋଲିସ ଚାରି କଏଦୀଙ୍କୁ ଧରିବାରେ ସଫଳ ହୋଇଥିଲା । ଫେରାର କଏଦୀଙ୍କୁ ଧରିବାକୁ ୧୭ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ଏହି ଘଟଣା ପରେ ମଦୁରାଇ, ଦିଣ୍ଡିଗୁଲ ଏବଂ ପଡ଼ୋଶୀ ରାଜ୍ୟ କେରଳର ଇଡୁକ୍କି ଜିଲ୍ଲାର ପୋଲିସକୁ 'ହାଇ ଆଲର୍ଟ'ରେ ରଖାଯାଇଛି। ଦିଣ୍ଡିଗୁଲ ପୋଲିସ ଅଧୀକ୍ଷକ (ଏସ୍.ପି.) ଏସ୍. ଜୟକୁମାର କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଜିଲ୍ଲାର ୧୬ଟି ସ୍ଥାନରେ ଚେକ୍‌ପୋଷ୍ଟ ସ୍ଥାପନ କରାଯାଇଛି ।ଦିଣ୍ଡିଗୁଲ-ଥେନି ରାଜପଥରେ ଗାଡ଼ିଗୁଡ଼ିକର କଡ଼ା ଯାଞ୍ଚ କରାଯାଉଛି। ଫେରାର ହୋଇଯାଇଥିବା ସମସ୍ତ କଏଦୀଙ୍କ ଫଟୋଚିତ୍ର ନିକଟସ୍ଥ ପୋଲିସ ଥାନାଗୁଡ଼ିକୁ ପଠାଇ ଦିଆଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାରେ ବିରୋଧୀ ଡିଏମକେ ରାଜ୍ୟସଭା ସାଂସଦ ପି. ୱିଲସନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ "ଅତ୍ୟନ୍ତ ଲଜ୍ଜାଜନକ" ବୋଲି କହି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଦର୍ଶାଇ ୱିଲସନ୍ ଇସ୍ତଫା ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଏଥିପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରାଯିବା ଉଚିତ୍ ବୋଲି କହିଛନ୍ତି ।

ଗୋହ୍ୱାଟୀର ଏକ ହୋଟେଲରେ ଭୟଙ୍କର ଗୁଳିକାଣ୍ଡ: ଗୋଟିଏ ପରିବାର ୪ ଜଣଙ୍କ ସମେତ ୫ ମୃତ
ଗୋହ୍ୱାଟୀ: ଆସାମର ରାଜଧାନୀ ଗୋହ୍ୱାଟୀରେ ଏକ ହୋଟେଲ ରାତି ଅଧରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଏଥିରେ ଗୋଟିଏ ପରିବାର ୪ ଜଣଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ୬ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । ଯେଉଁଥିରେ ହୋଟେଲ୍ କର୍ମଚାରୀ ରହିଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗୋହ୍ୱାଟୀ ପୋଲିସ କମିଶନର ପାର୍ଥ ସାରଥୀ ମହାନ୍ତଙ୍କ ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୯ଟାରୁ ୧୦ଟା ସମୟରେ, ଜିଏସ୍ ରୋଡର ବୋରା ସର୍ଭସ୍ ନିକଟରେ ଥିବା “ହୋଟେଲ ବିଲାସ”ର ମାଲିକ ଏବଂ ଲିଜଧାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ସମୟରେ ଲିଜଧାରୀ ହୋଟେଲ୍ ମାଲିକ ଏବଂ ତାଙ୍କ ପରିବାର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଜଣକ ପରେ ଜଣକ ଉପରେ ଗୁଳି ବାଜି ଥିଲା । ଫଳରେ ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଆଉ ଜଣେ ପ୍ରାଣ ହରାଇଥିଲେ । ଅନ୍ୟ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅଧିକ ପଢ଼ନ୍ତୁ:-ଲକ୍ଷ୍ନୌରେ ଟ୍ରିପଲ୍ ମର୍ଡର୍: ପିଣ୍ଡି ନିର୍ମାଣକୁ କେନ୍ଦ୍ର କରି ବିବାଦ, ଗୋଟିଏ ପରିବାର ୩ ଜଣଙ୍କୁ ଗୁଳି କରି ହତ୍ୟା

ଏହି ଘଟଣା ପୋଲିସ ରାଜ୍ୟ ମୁଖ୍ୟାଳୟରୁ ମାତ୍ର ୨ କିଲୋମିଟର୍ ଦୂରରେ ଘଟିଛି । ଖବର ତୁରନ୍ତ ପୋଲିସ ପହଁଚି ୪ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏହା ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ତା ନିକଟରୁ .୩୨ ବୋର୍ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି । ସମସ୍ତ ମୃତକ ହୋଟେଲ୍ ମାଲିକଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି । ତେବେ ଏଭଳି ଗୁଳିକାଣ୍ଡର କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।

ସ୍ୱାମୀର ଛୁରା ମାଡ଼ରେ ଚାଲିଗଲା ସ୍ତ୍ରୀର ପ୍ରାଣ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମାଳପୁରା ଗାଁର ଶବର ସାହିରେ ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ଘଟିଛି ଏକ ଦୁଃଖଦ ଘଟଣା। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଉଛନ୍ତି କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ ନମ୍ବର କଲୋନୀର ସସ୍ମିତା ଖଟୁଆ।

ସୂଚନା ଅନୁଯାୟୀ, ସସ୍ମିତା ମାଳପୁରା ଗାଁ ଶବର ସାହିରେ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସ୍ୱାମୀ ଲଳିତ ରଣାଙ୍କଠାରୁ ବାରମ୍ବାର ନିର୍ଯାତନା ମିଳୁଥିବାରୁ ସସ୍ମିତା ଗତ ୬ ମାସ ହେବ ମାଳପୁରାସ୍ଥିତ ନିଜ ବାପଘରେ ରହୁଥିଲେ।ଆଜି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହା ପରେ ଲଳିତ ଏକ ଛୁରୀରେ ସସ୍ମିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଲକ୍ଷ୍ନୌରେ ଟ୍ରିପଲ୍ ମର୍ଡର୍: ପିଣ୍ଡି ନିର୍ମାଣକୁ କେନ୍ଦ୍ର କରି ବିବାଦ, ଗୋଟିଏ ପରିବାର ୩ ଜଣଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡରେ । ସୋମବାର ସକାଳେ ଏକ ପିଣ୍ଡି ବନାଇବାକୁ କେନ୍ଦ୍ର କରି ଗୋଟିଏ ପରିବାର ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ଏବଂ ପୁଅ ରହିଛନ୍ତି । ମୃତକ ହେଲେ ଶିବା ତିୱାରୀ, ଶମ୍ଭୁ ତିୱାରୀ ଏବଂ ଶିବାଙ୍କ ପୁଅ ସୁୟଶ ତିୱାରୀ ।

ଲକ୍ଷ୍ନୌ ସଆଦତଗଞ୍ଜ ଥାନା ଅନ୍ତର୍ଗତ ନୌବସ୍ଥାରେ ବର ଗଛ ମୂଳରେ ପିଣ୍ଡି ବନାଇବାକୁ ନେଇ ଶିବାଙ୍କ ପରିବାର ସହିତ ଅଭିଯୁକ୍ତଙ୍କର ବିବାଦ ହୋଇଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ଶିବା ତିୱାରୀ, ତାଙ୍କ ଭାଇ ଶମ୍ଭୁ ତିୱାରୀ ଏବଂ ପୁଅ ଉପରେ ଗୁଳି ଚଳାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ସିଏମ୍ଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସମସ୍ତ ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସିଏମ୍ଏମ୍ ଟ୍ରମା ସେଣ୍ଟର୍ ଡାକ୍ତର ପ୍ରେମରାଜ ସିଂହ କହିଛନ୍ତି ଯେ ଶମ୍ଭୁଙ୍କ ଛାତିରେ ଗୁଳି ଲାଗିଥିବାବେଳେ ଶିବା ଏବଂ ସୁୟଶଙ୍କ ମୁଣ୍ଡରେ ଗୁଳି ବାଜିଛି ।

ଶିବାଜୀଙ୍କ ପୁଅ ସୁୟଶଙ୍କର ଆସନ୍ତା ମାସରେ ବିବାହ ହେବାର ଥିଲା। ଘରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା। କିନ୍ତୁ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ହତ୍ୟା ଘଟଣା, ବିବାହ ପ୍ରସ୍ତୁତିରେ ଲାଗିଥିବା ସେହି ପରିବାର ଉପରେ ଶୋକର ଛାୟା ଖେଳାଇ ଦେଇଛି ।

ଏହି ଗୁଳି କାଣ୍ଡ ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଖବର ପାଇ ସଆଦତଗଞ୍ଜ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଋଷଭ ଶୁକ୍ଳା । ସେ ଭାରତୀୟ ନୌସେନାରେ ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି ।

ପୋଲିସର ସୂଚନା ଅନୁସାରେ, ଦୁଇ ପକ୍ଷଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଯାହା ଆଜି ସଂଘର୍ଷର ରୂପ ନେଇଥିଲା । ଗୋଟିଏ ପକ୍ଷରୁ ଗୁଳି ଚାଳନା ହୋଇଥିଲା । ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଫେରାର ହୋଇଯାଇଥିବାବେଳେ ପୋଲିସ ତାକୁ କାବୁ କରି ନେଇଛି ।

ନିଖୋଜର ଦିନକ ପରେ ଘର ପଛପଟୁ ଉଦ୍ଧାର ହେଲା ୪ ବର୍ଷର ଶିଶୁକନ୍ୟା; ଯୁବକଙ୍କୁ ଧରି ପୋଲିସରେ ଦେଲେ ଲୋକେ
ବାରିପଦା: ଘର ଆଗରେ ଖେଳୁଥିଲା କୁନି ଝିଅ। ହଠାତ୍‌ କେଉଁଆଡ଼େ ଉଭାନ ହୋଇଗଲା। ପରିବାର ଲୋକଙ୍କ ଚିନ୍ତା ବଢ଼ିଲା, ଥାନାରେ ହେଲା ଅଭିଯୋଗ। ଶେଷରେ ନିଖୋଜ ହେବାର ଦିନକ ପରେ ଘର ପଛପଟୁ ଉଦ୍ଧାର ହେଲା ସାଢ଼େ ୪ ବର୍ଷର ଶିଶୁକନ୍ୟା। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ବାରିପଦା ପୌରପାଳିକାର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଯମୁନାଦେଇପୁରର ଚନ୍ଦ୍ରମଣି ସୋରେନ ଓ ସୁନୀଲ ସୋରେନଙ୍କ ଝିଅ ମାହି ମାୟରା ସୋରେନ ଓରଫ୍ ସିଦ୍ଧି ରବିବାର ନିଖୋଜ ହୋଇଯାଇଥିଲେ। ଟ୍ୟୁସନରୁ ଫେରିବା ପରେ ସେ ଘର ସାମ୍ନାରେ ଥିବା ବାଲିଗଦା ନିକଟରେ ଖେଳୁଥିଲେ। ଏହି ସମୟରେ ମା’ ରୋଷେଇ କରିବାକୁ ଘର ଭିତରକୁ ଯାଇଥିଲେ। ପ୍ରାୟ ସକାଳ ୧୧ଟାରେ ଫେରି ଝିଅକୁ ନପାଇ ଖୋଜାଖୋଜି ଆରମ୍ଭ କରିଥିଲେ।

ଆଖପାଖ ଅଞ୍ଚଳରେ ଖୋଜିବା ପରେ ମଧ୍ୟ ଝିଅର କୌଣସି ସନ୍ଧାନ ନମିଳିବାରୁ ପରିବାର ପକ୍ଷରୁ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ତିନୋଟି ଟିମ୍ ଗଠନ କରି ଶିଶୁକନ୍ୟାର ସନ୍ଧାନ ଆରମ୍ଭ କରିଥିଲା।

ସୋମବାର ସକାଳେ ଜଣେ ଅଜଣା ଯୁବକ ଶିଶୁଟିକୁ ଘର ପଛପଟେ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରିଥିଲେ। ଏହାପରେ ଶିଶୁର ମା’ଙ୍କୁ ଖବର ଦେବା ସହ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି।

ଉଦ୍ଧାର ହୋଇଥିବା ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡ଼ିଛି ଏବଂ ତାକୁ ପରିବାର ଲୋକଙ୍କ ନିକଟରେ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଅଟକ ଯୁବକଙ୍କ ପରିଚୟ, ଶିଶୁକୁ ନେବା ପଛରେ ଉଦ୍ଦେଶ୍ୟ ଏବଂ ତାକୁ କେଉଁଠି ରଖାଯାଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଝିଅକୁ ସୁରକ୍ଷିତ ଫେରି ପାଇବା ପରେ ପରିବାର ପକ୍ଷରୁ ପୋଲିସ, ସ୍ଥାନୀୟ ଲୋକ ଓ ଗଣମାଧ୍ୟମକୁ କୃତଜ୍ଞତା ଜଣାଯାଇଛି।

ବନ୍ଧା ହେଲା ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ; ଭୁବନେଶ୍ୱରରେ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସମ୍ପର୍କୀୟ ଦାଦା ଗିରଫ
ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ସୁନ୍ଦରଗଡ଼ ଓ ରାଜଧାନୀ ଭୁବନେଶ୍ୱରରୁ ଆସିଛି ଦୁଇଟି ଦୁଷ୍କର୍ମ ଅଭିଯୋଗ। ସୁନ୍ଦରଗଡ଼ର ଧରୁଆଡିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ସମ୍ପର୍କୀୟ ଦାଦାଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ।

ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅନ୍ତର୍ଗତ ଧରୁଆଡିହି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କୁ ଏକୁଟିଆ ପାଇ ମେଢ଼ା ଅଞ୍ଚଳର ଜଣେ ଯୁବକ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ନିଜ ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ।

ପରେ ପରିବାର ଲୋକେ ରାତିରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ପକ୍ସୋ (POCSO) ଆଇନ ସମେତ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଥିଲା। ଏତଲା ଦେବାର କିଛି ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କୁ ଧରିଥିବା ସୂଚନା ମିଳିଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।

ଭୁବନେଶ୍ୱରରେ ସମ୍ପର୍କୀୟ ଦାଦା ଗିରଫ

ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୁଷ୍କର୍ମ ଅଭିଯୋଗରେ ଜଣେ ସମ୍ପର୍କୀୟ ଦାଦାଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା।

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଦୀର୍ଘ ଦିନ ଧରି ଯୁବତୀଙ୍କୁ ନିଜ ପାଖରେ ରଖି ତାଙ୍କ ସହ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ। ଏହା ପରେ ପୀଡ଼ିତା ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ଯାଜପୁରର AEE ତପନ ସେଠୀ ଗିରଫ; ୧.୦୨ ଏକର ଫାର୍ମହାଉସ୍‌, ୩ ପ୍ଲଟ୍‌, ୭୪୭ ଗ୍ରାମ ସୁନା ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ଯନ୍ତ୍ରୀ। ଯାଜପୁର ଜିଲ୍ଲା ବଡ଼ଚଣା ଆର୍‌ ଆଣ୍ଡ୍‌ ବି (R&B) ସବ୍‌ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର (AEE) ତପନ ସେଠୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଚଢ଼ାଉ ସମୟରେ ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରୁ ବିପୁଳ ସମ୍ପତ୍ତିର ସନ୍ଧାନ ମିଳିଛି। ଏହି ସମ୍ପତ୍ତି ତାଙ୍କ ଜଣାଶୁଣା ଆୟର ଉତ୍ସ ସହ ମେଳ ଖାଉନଥିବା ଅଭିଯୋଗ ହୋଇଛି।

ତପନ ସେଠୀ କଟକ ଜିଲ୍ଲା ଚୌଦ୍ୱାରର ଚାରବାଟିଆସ୍ଥିତ ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଗିରଫ ପରେ ତାଙ୍କୁ କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଅଦାଲତରେ ହାଜର କରାଯିବ।

ଚଢ଼ାଉରେ କ’ଣ ସବୁ ମିଳିଲା?

ଭିଜିଲାନ୍ସ ଟିମ୍‌ର ତଦନ୍ତ ବେଳେ ତପନ ସେଠୀଙ୍କ ସହ ଜଡ଼ିତ ସମ୍ପତ୍ତିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

• ୩ଟି ବହୁତଳ କୋଠା: କଟକ, ଭୁବନେଶ୍ୱର ଓ ପୁରୀରେ ରହିଛି।
• ୩ଟି ମୂଲ୍ୟବାନ ପ୍ଲଟ୍‌: ବିଭିନ୍ନ ସ୍ଥାନରେ ଜମି ଠାବ ହୋଇଛି।
• ୧.୦୨ ଏକର ଫାର୍ମହାଉସ୍‌: ଏକ ବିସ୍ତୃତ ଫାର୍ମହାଉସ୍‌ର ସନ୍ଧାନ ମିଳିଛି।
• ୭୪୭ ଗ୍ରାମ ସୁନା: ବିପୁଳ ପରିମାଣର ସୁନା ଅଳଙ୍କାର ଠାବ ହୋଇଛି।
• ୨୦.୮୭ ଲକ୍ଷ ଟଙ୍କା ଜମା: ବ୍ୟାଙ୍କ ଜମା ରାଶିର ତଥ୍ୟ ମିଳିଛି।
• ୨ଟି ଦାମୀ ଚାରିଚକିଆ ଗାଡ଼ି: ଯାନବାହନ ମଧ୍ୟ ତଦନ୍ତ ପରିସରକୁ ଆସିଛି।

ଏହି ଘଟଣାରେ ଭିଜିଲାନ୍ସ ସେଲ୍‌ ଥାନାରେ କେସ୍‌ ନମ୍ବର ୮/୨୦୨୬ରେ ଦୁର୍ନୀତି ନିବାରଣ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି।

ତପନ ସେଠୀଙ୍କ ସମ୍ପତ୍ତିର ଉତ୍ସ, ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆଉ କେଉଁଠି ଗୁପ୍ତ ସମ୍ପତ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି। ତେବେ ତଦନ୍ତ ପରେ ଏହି ମାମଲାରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି।