ୱାୟନାଡ: ପ୍ରଥମ ଥର ପାଇଁ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିଥିବା ଗାନ୍ଧୀ ପରିବାର ଆଉ ଜଣେ ସଦସ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଫଳତାର ସ୍ୱାଦ ଚାଖିଛନ୍ତି । କେରଳର ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜୟ ହାସଲ କରିଛନ୍ତି । କଂଗ୍ରେସର ଗଡ଼ କୁହାଯାଉଥିବା ୱାୟନାଡକୁ ସେ ହାତେଇବାରେ ସଫଳ ହୋଇଛନ୍ତି ।
ୱାୟନାଡ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ୪.୦୮ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କୁ ୬,୨୨,୩୩୮ ଖଣ୍ଟ ଭୋଟ୍ ମିଳିଛି । ତେବେ ୱାୟନାଡ଼ ଆସନରୁ ସିପିଆଇର ସତ୍ୟମ ମୋକେରି ୧୫୬,୬୪୬ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିଜେପିର ନବ୍ୟା ହରିଦାସ ୮୪,୪୪୯ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଗାନ୍ଧୀ ପରିବାରର ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ । ଏବେ ସଂସଦର ଉଭୟ ଗୃହରେ ମାଆ, ପୁଅ ଏବଂ ଝିଅ ବସିବେ ।
ଭଉଣୀ ପ୍ରିୟଙ୍କା ଭାଇ ରାହୁଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ରାହୁଲ ଗାନ୍ଧୀ ୨୦୨୪ ଏପ୍ରିଲ ନିର୍ବାଚନରେ ୩.୬୪ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେ ଏକା ସଙ୍ଗରେ ଆମେଥୀ ଓ ୱାୟନାଡରୁ ବିଜୟ ହାସଲ କରିଥିଲେ । ତେଣୁ ନିଜର ଗଡ଼ ଥିବା ୱାୟନାଡର ଦାୟିତ୍ୱ ସେ ଭଉଣୀ ପ୍ରିୟଙ୍କା ଉପରେ ଦେଇଥିଲେ ଏବଂ ଆମେଥି ଆସନକୁ ନିଜ ହାତରେ ରଖିଥିଲେ ।
ତେବେ ପ୍ରିୟଙ୍କା ବିଜୟୀ ହେବା ପରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଉପରେ ଏହି ବିଶ୍ୱାସ ରଖିଥିବାରୁ ସେ ଖୁସିରେ ବିଭୋର ବୋଲି କହିଛନ୍ତି ।