ଖବର ଓଡ଼ିଶା: କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ଲୋକସଭାରେ ୱାକଫ୍ ବୋର୍ଡ ଆଇନରେ ସଂଶୋଧନ ସଂକ୍ରାନ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି । ଓ୍ଵାକଫ୍ ବୋର୍ଡ ଆଇନରେ ସଂଶୋଧନ ବିଲ୍ ଆଗତ ହେବା ପରେ ଗୃହରେ ହଟ୍ଟଗୋଳ ହୋଇଛି । ସଂସଦରେ ହଟ୍ଟଗୋଳ ପରେ ସରକାର ୱାକଫ୍ (ସଂଶୋଧନ) ବିଲକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇଛନ୍ତି ।
ଗୁରୁବାର କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ୱାକଫ୍ ବୋର୍ଡ ଆଇନରେ ସଂଶୋଧନ ବିଲ ଆଗତ କରିଛନ୍ତି । ଜେଡିୟୁ, ଶିବ ସେନା ପ୍ରମୁଖ ବିଲକୁ ସମର୍ଥନ କରିଥିବା ବେଳେ କଂଗ୍ରେସ, ଟିଏମସି ଓ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି । ମଧ୍ୟପ୍ରଦେଶ ୱାକଫ ବୋର୍ଡ ଅଧ୍ୟକ୍ଷ ସାନୱାର ପଟେଲ ସଂସଦରେ ଉପସ୍ଥାପିତ ୱାକଫ ବିଲକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ନୂତନ ଆହ୍ୱାନ ସହ ଏକ ନୂତନ ଆଇନର ଆବଶ୍ୟକ ରହିଛି । ଯେଉଁମାନେ ସମ୍ପତ୍ତିର ବେଆଇନ ଅଧିକାର ନେଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ବିରୋଧୀ ଦଳର କାର୍ଯ୍ୟ ହେଉଛି ମୁସଲମାନମାନଙ୍କୁ ଉସକାଇବା । ବିରୋଧୀଙ୍କର କାମ ହେଉଛି ବିରୋଧ କରିବା, ସେମାନେ ସବୁକିଛି ବିରୋଧ କରନ୍ତି । ଏହି ବିଲ୍ ପାଇଁ ସେ ମୋଦୀ ସରକାରଙ୍କୁ ଧନ୍ୟବାଦ ଜାଣାଇଛନ୍ତି ।
କିନ୍ତୁ ଟିଏମସି ସାଂସଦ ପ୍ରଫେସର ସୌଗତ ରାୟ ବିରୋଧର କରି ବିଲକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସେ କହିଛନ୍ତି ଯେ ସରକାର ୱାକଫ୍ ବୋର୍ଡ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଛନ୍ତି । ଏହା ହେଉଛି ମୁସଲମାନମାନଙ୍କର ସମ୍ପତ୍ତି । ଏହାର ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା । ଏହି ବୋର୍ଡରେ କୌଣସି ଅଣ ମୁସଲମାନ ରହିବା ଉଚିତ ନୁହେଁ ବୋଲି କହିଛନ୍ତି । କିରଣ ରିଜିଜୁ କହିଛନ୍ତି ଯେ ଆମେ ପଳାୟନପନ୍ଥୀ ନୁହଁ । ଏହି ବିଲ ପାରିତ ହେବା ଉଚିତ । ଏହା ପରେ ଯାହା ବି ଯାଞ୍ଚ କରାଯିବା ଆବଶ୍ୟକ ଅଛି ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ । ଆମେ ଏହି ବିଲ୍ ପ୍ରସ୍ତୁତ କରି ବିଲକୁ ଯୁଗ୍ମ ସଂସଦୀୟ କମିଟି ପଠାଇବୁ । ଯିଏ ଯାଞ୍ଚ କରିବାକୁ ଚାହୁଁଛନ୍ତି ପ୍ରତ୍ୟେକ ଦଳର ସଦସ୍ୟ ସେହି କମିଟିରେ ରହିବା ଉଚିତ ।
ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ଗରିବ ମୁସଲମାନ ଏବଂ ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ୱାକଫ୍ ସମ୍ପତ୍ତିକୁ ବେଆଇନ ଦଖଲରୁ ମୁକ୍ତ କରିବା । ଦେଶରେ ୩୦ଟି ଓ୍ଵାକଫ୍ ବୋର୍ଡ ରହିଛି, ଯେଉଁମାନେ ୮ ଲକ୍ଷ ଏକରରୁ ଅଧିକ ଜମିକୁ ନିୟନ୍ତ୍ରଣ କରୁଛନ୍ତି। ଏହା ଦ୍ୱାରା ସେ ରେଳବାଇ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ରିଅଲ ଇଷ୍ଟେଟ୍ର ତୃତୀୟ ବୃହତ୍ତମ ମାଲିକ ଅଟନ୍ତି। ଏହି ବିଲରେ ସେଣ୍ଟ୍ରାଲ ୱାକଫ କାଉନସିଲ ଏବଂ ଷ୍ଟେଟ ୱାକଫ ବୋର୍ଡ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ମୁସଲିମ ମହିଳା ଏବଂ ଅଣମୁସଲମାନମାନଙ୍କର ପ୍ରତିନିଧିତ୍ୱ ରହିବ। ଏହାବ୍ୟତୀତ ପ୍ରସ୍ତାବିତ ବିଲ୍ ଅନୁଯାୟୀ ଓ୍ଵାକଫ୍ ସମ୍ପତ୍ତିରୁ ସମସ୍ତ ଆୟ ଦାନରେ ଖର୍ଚ୍ଚ କରିବାକୁ ପଡ଼ିବ। ବିଲ୍ରେ ପ୍ରସ୍ତାବ ରହିଛି ଯେ ସମ୍ପତ୍ତି ୱାକଫ୍ ସମ୍ପତ୍ତି ନା ସରକାରୀ ଜମି ତାହା ଜିଲ୍ଲାପାଳ ସ୍ଥିର କରିବେ। ଏଥିରେ ବୋହରା ଏବଂ ଆଗାଖାନିଙ୍କ ପାଇଁ ଏକ ପୃଥକ ଓକାଫ୍ ବୋର୍ଡ ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଡ୍ରାଫ୍ଟ ଆଇନରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଶିଆ, ସୁନ୍ନି, ବୋହରା, ଅଘଖାନୀ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ପାଇଁ ବ୍ୟବସ୍ଥା କରାଯାଇଛି।