ଯାଜପୁର: ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ଗୋଟିଏ ପଟେ ବିଜେଡ଼ି ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଭାଇ ପୂର୍ବତନ ପୌର ଅଧ୍ୟକ୍ଷ ଭବ ପ୍ରସାଦ ଦାସ ଶେଷରେ ଜେଲ ଯାଇଛନ୍ତି । ଅନ୍ୟ ପଟେ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ପରିବାର ବ୍ୟବସାୟୀ ମଦନ ମୋହନ ଦାସ ମାମଲା ପ୍ରତ୍ୟାହାର କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଭବ ଦାସ ଗିରଫ ହେବା ପରେ ଆଜି ତାଙ୍କୁ ଯାଜପରୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ଭବ ପ୍ରକାସ ଦାସଙ୍କ ପକ୍ଷରୁ କୌଣସି ଜାମିନ ଆବେଦନ କରାଯାଇ ନ ଥିଲା । ଜାମିନ ଆବେଦନ ନ ହେବାରୁ ମାନ୍ୟବର ଅଦାଲତ ଭବ ଦାସଙ୍କୁ ଜେଲ ପଠାଇଛନ୍ତି । ଆସନ୍ତାକାଲି ରବିବାର ପଡ଼ୁଥିବାରୁ ସୋମବାର ମାମଲାର ପରବର୍ତ୍ତୀ ଶୁଣାଣୀ କରାଯିବା । ଏ ନେଇ ସୂଚନା ଦେଇଛନ୍ତି ଭବ ଦାସଙ୍କ ଓକିଲ ପୂର୍ଣ୍ଣଚନ୍ଦ୍ର ଦେଓ ।
ଅନ୍ୟପକ୍ଷରେ ପରିବା ବ୍ୟବସାୟୀ ମଦନ ମୋହନ ଦାସ ଦେଇଥିବା ମାମଲାକୁ ପ୍ରତ୍ୟାହାର କରି ନେଇଛନ୍ତି । ତାଙ୍କୁ ମାଡ଼ ମରାଯାଇ ନଥିଲା ବରଂ ଖାଲି ଗାଳି ଗୁଲଜ କରାଯାଇଥିବା ବୋଲି କୋର୍ଟରେ ବୟାନ ରଖିଥିବା ଜଣାପଡ଼ିଛି । ପୂର୍ବରୁ ମଦନ ଭବ ଦାସଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ହାଟରେ ମାଡ଼ ମରାଯିବା ସହିତ ତାଙ୍କ ଠାରୁ ଟଙ୍କା ଛଡ଼ାଇ ନିଆଯାଇଥିଲା ।
ଗୁରୁବାର ଦିନ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ବିବାଦ ଚାଲିଥିବାବେଳେ ବ୍ୟବସାୟୀଙ୍କ ପରିବା ଫୋପାଡ଼ିବା ଓ ଆକ୍ରମଣକୁ ନେଇ ଭବ ପ୍ରସାଦ ଦାସଙ୍କ ନାମରେ ଅଭିଯୋଗ କରିଥିଲେ ବ୍ୟବସାୟୀ । ସେହି ପରି ପୁଲିସର ବିନା ଅନୁମତିରେ ରାସ୍ତା ରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଯାଜପୁର ଟାଉନ ଥାନାରେ ଭବ ଦାସ ନାମରେ ୪ ଟି ପୃଥକ ପୃଥକ ମାମଲା ହୋଇଥିଲା । ୩ଟି ଅଭିଯୋଗ ବ୍ୟବସାୟୀ କରିଥିବା ବେଳେ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି । ଯାହାକି କେଶ ନମ୍ବର ୪୬୯, ୪୭୦, ୪୭୧ ଓ ୪୭୨ରେ ମାମଲା ହୋଇଛି ।