ପୁଣି ଖଟିଆରେ ବୁହା ହେଲେ ପ୍ରସୂତୀ
Khabar Odisha:health-odisha-no-road-for-ambulanc-in-mayurvanj
ମୟୁରଭଞ୍ଜ, ଫେବୃଆରୀ ୧୧(ଖବର ଓଡିଶା):

ରାଜ୍ୟ ସାରା ଜନନୀ ଯନ୍ତ୍ରଣା । ପୁଣି ଥରେ ଖଟିଆରେ ବୁହା ହେଲେ ପ୍ରସୂତୀ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶୁକ୍ରୁମା ବ୍ଲକର ଜେଠମା ସାହିରେ । ଗାଁକୁ ଭଲ ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ପହଂଚି ପାରି ନଥିଲା । ଦୀର୍ଘ ୨ ଘଂଟା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ପ୍ରସୂତୀଙ୍କୁ ଖଟିଆରେ ଅଣାଯାଇଥିଲା । ଗୋଟିଏ ପଟେ ରାଜ୍ୟ ସରକାର ବିକାଶକୁ ନେଇ ଡେଙ୍ଗୁରା ପିଟୁ ଥିବା ବେଳେ ଅନ୍ୟ ପଟେ ରାଜ୍ୟର ବହୁ କୋଣକୁ ଏଯାଏଁ ବିକାଶ ପହଂଚି ପାରି ନାହିଁ । ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳିଥିବା ସତ୍ୱେ ପ୍ରଶାସନର ନିଦ ଭାଙ୍ଗୁ ନାହିଁ ।

ସୂଚନାନୁସାରେ, ଗତକାଲି ମୟୁରଭଞ୍ଜ ଜିଲ୍ଲାର ଜେଠମା ସାହିରେ ଜଣେ ପ୍ରସୂତି ୨ ଘଂଟା ଛଟପଟ ହେବାପରେ ଗାଁଲୋକଙ୍କ ଦ୍ୱାରା ଖଟିଆରେ ବୁହାହେଇଛନ୍ତି । ମହିଳାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା । ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ୨କି.ମି କାନ୍ଧରେ ବୋହି ତାଙ୍କୁ ଆମ୍ବୁଲାନ୍ସରେ ଭର୍ତି କରିଥିଲେ । ଏହାପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ।  

ଏତେ ଅସୁବିଧା ଥିବା ସତ୍ୱେ ମଧ୍ୟ ରାସ୍ତା ମରାମତିକୁ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ପ୍ରଶାସନିକ ଅଧିକାରୀମାନେ ଏନେଇ ଚୁପ୍ ଅଛନ୍ତି । ସତେ ଯେମିତି ଏସବୁ ଘଟଣା ଦେହସୁହା ହୋଇଗଲାଣି । ତେବେ ଏହି ଘଟଣାକୁ ସର୍ବ ସାଧାରଣରେ ନିନ୍ଦା କରାଯାଇଛି ।

  • Tags:

Subscribe

National International State Sports Entertainment