ମହାମାରୀ କରୋନା କାରଣରୁ ଦେଶର ପ୍ରଥମ ଜନପ୍ରତିନିଧୀଙ୍କ ମୃତ୍ୟୁ
Khabar Odisha:dmk-mla-j-anbazhagan-died-due-to-coronavirus-infection-in-tamilnadu
ତାମିଲନାଡୁ, ଜୁନ ୧୦ (ଖବର ଓଡ଼ିଶା):

ମହାମାରୀ କରୋନା ଭାଇରସ କାରଣରୁ ଦେଶରେ ଜାରି ରହିଛି ଆତଙ୍କ । ଏହି ଭୂତାଣୁ ଯୋଗୁଁ ତାମିଲନାଡୁର ଜଣେ ବିଧାୟକଙ୍କ ମୃତ୍ୟୁ ହେବାର ଘଟଣା ସାମ୍ନାକୁ ଆସିଛି । ଦ୍ରାବିଡା ମୁନ୍ନେଟ୍ରା କାଜଗାମ (ଡିଏମକେ) ବିଧାୟକ ଜେ ଅନବାଜଗାନଙ୍କର କରୋନା ସଂକ୍ରମଣରେ  ମୃତ୍ୟୁ ହୋଇଛି । ଏକ ସପ୍ତାହ ପୂର୍ବରୁ ଅନବାଜଗାନ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା | ସେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ବୁଧବାର ସକାଳ ପ୍ରାୟ 7 ଟାରେ ତାଙ୍କର ଦେହାନ୍ତ ହୋଇଛି । ଅନବାଜଗାନ ଚେନ୍ନାଇ ପଶ୍ଚିମ ଜିଲ୍ଲାର ଡିଏମକେ ସଚିବ ମଧ୍ୟ ଥିଲେ। କରୋନା ଜୀବାଣୁରେ ସଂକ୍ରମିତ ହୋଇ କୌଣସି ଜନପ୍ରତିନିଧୀଙ୍କ ମୃତ୍ୟୁ ଏହା ଦେଶର ପ୍ରଥମ ଘଟଣା।

ଶ୍ୱାସକ୍ରିୟାରେ ସମସ୍ୟା ଏବଂ ଥଣ୍ଡା ଜ୍ୱରର ଲକ୍ଷଣ ପରେ ଗତ ସପ୍ତାହରେ ଅନବାଜଗାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେବେଠାରୁ ତାଙ୍କୁ ଚେନ୍ନାଇର ଡକ୍ଟର ରେଲା ଇନଷ୍ଟିଚ୍ୟୁଟ ଏବଂ ମେଡିକାଲରେ ଭର୍ତ୍ତି କରାଯାଇଥିଲା। 61 ବର୍ଷିୟ ଅନବାଜଗାନ ମଧ୍ୟ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ଶରୀରରେ ମଧୁମେହ ସ୍ତର ମଧ୍ୟ ଖୁବ ଅଧିକ ଥିଲା |

ଡାକ୍ତରଖାନାର ସିଇଓ ଡକ୍ଟର ଇଲାନକୁମାର କାଳିଆମୂର୍ତ୍ତିଙ୍କ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ଠାରୁ ବିଧାୟକଙ୍କ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ କ୍ରଟିକାଲ କେୟାର ୟୁନିଟ୍ (ଆଇସିୟୁ) କୁ ସ୍ଥାନାନ୍ତର କରାଯାଇଥିଲା।

କାଳିଆମୂର୍ତ୍ତିଙ୍କ କହିବାନୁସାରେ, ଡିଏମକେ ବିଧାୟକ ଅନବାଜଗାନଙ୍କ ହୃଦୟ ଠିକ ଭାବେ କାମ କରୁନଥିଲା । ଏଭଳି ପରିସ୍ଥିତିରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ବୁଧବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

  • Tags:

Subscribe

National International State Sports Entertainment