ରାଞ୍ଚି: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ପ୍ରକାଶ ହେବ । ଉଭୟ ରାଜ୍ୟରେ ରାଜନୈତିକ ଦଳମାନଙ୍କର ସ୍ଥାନର ଚିତ୍ର ସ୍ପଷ୍ଟ ହୋଇ ସାରିଥିବାବେଲେ ଏବେ ଖାଲି ସଠିକ୍ ନମ୍ବର ଓ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି । ତେବେ ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାବେଳେ ଝାଡ଼ଖଣ୍ଡର ଦଳ ପଛରେ ପଡ଼ିଯାଇଛି । ତେବେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଦୁଇ ପ୍ରମୁଖ ନେତା ଯେଉଁମାନଙ୍କର ସିଧା ସଳକ ସମ୍ପର୍କ ଓଡ଼ିଶା ସହିତ ରହିଛି ସେମାନେ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଗୋଟିଏ ପଟେ ଓଡ଼ିଶା ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଆଗରେ ରହିଥିବାବେଳେ ଅନ୍ୟପଟେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ପଛରେ ରହିଛନ୍ତି । ଜାମସେଦପୁର ଇଷ୍ଟ ଆସନରେ ଏହି ଦୁଇ ପ୍ରତିଦ୍ୱନ୍ଦୀ ଲଢୁଛନ୍ତି । ଖବର ଲେଖା ହେବା ବେଳକୁ ପୂର୍ଣ୍ଣିମା ସାହୁ ୨୩ ହଜାରରୁ ଅଧିକ ଭୋଟରେ ଆଗୁଆ ଥିଲେ । ୧୦ ରାଉଣ୍ଡ ଗଣତି ଅନୁସାରେ ପୂର୍ଣ୍ଣିମାଙ୍କୁ ମୋଟ ୫୫,୭୬୧ ଭୋଟ ମିଳିଥିବାବେଳେ ଅଜୟ କୁମାର ୩୨,୨୩୪ ଭୋଟ ପାଇଛନ୍ତି ।
ପୂର୍ବ ସିଂଘଭୂମ ଜିଲ୍ଲାରେ ଜାମସେଦପୁର ଇଷ୍ଟ ଆସନ ଆସୁଛି । ୨୦୧୧ର ଜନଗଣନା ଅନୁସାରେ ଏଠାରେ ଏସସି ୧୫.୬ ପ୍ରତିଶତ ଥିବାବେଳେ ଏସଟି ମତଦାତାଙ୍କ ସଂଖ୍ୟା ୦.୬୧ ପ୍ରତିଶତ ରହିଛି । ସେହିପରି ମୁସଲିମ ମତାଦାତା ୬.୩ ପ୍ରତିଶତ ରହିଛନ୍ତି ।
ଜାମସେଦପୁର ଇଷ୍ଟ ଆସନ ବିଜେପିର ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ । ରଘୁବର ଦାସ ବିଜେପି ଟିକେଟରୁ ଏହି ଆସନରେ ଲଢ଼ି ୪ ଥର ବିଜୟୀ ହୋଇଛନ୍ତି ।