ମୁମ୍ବାଇ: ମହାରାଷ୍ଟ୍ର ଓ ଝାଡଖଣ୍ଡରେ କାହାର ହେବ ସରକାର ? କେଉଁ ଦଳକୁ ମିଳିବ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ? ନା ଝୁଲା ସରକାର ହେବ ? କେଉଁ ଦଳ ହେବ କିଙ୍ଗ ମେକର ? ଏସବୁ ପ୍ରଶ୍ନର ଉତ୍ତର ଆସନ୍ତାକାଲି ମିଳିଯିବ । ଶନିବାର ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି । ତେବେ ଏହା ପୂର୍ବରୁ ଆସିଥିବା ସମସ୍ତ ଏକଜିଟ୍ ପୋଲରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର ଗଢୁଥିବା ବେଳେ ଝାଡଖଣ୍ଡରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳିଛି ।
ଆସନ୍ତାକାଲି ସକାଳ ୮ଟାରୁ ଦୁଇ ରାଜ୍ୟର ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡିଂ ସକାଳ ୮ଟାରୁ ମିଳିବା ଆରମ୍ଭ ହୋଇଯିବ । ଉଭୟ ରାଜ୍ୟରେ ଲଢୁଥିବା ପ୍ରତିଟି ରାଜନୈତିକ ଦଳ ନିଜ ନିଜର ଏଜେଣ୍ଟଙ୍କୁ ନିଜ ବୁଥରେ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଝାଡଖଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ଓ ଜେଏମଏମ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ସବୁଠୁ ଅଧିକ ଫୋକସରେ ମହାରାଷ୍ଟ୍ର ରହିବ । କାରଣ ମହାରାଷ୍ଟ୍ର ରାଜନୀତିର ସମୀକରଣ ବେଶ ରୋଚକ ରହିଛି । ରାଜ୍ୟରେ ଶିବସେନା ଓ ଏନସିପି ଦୁଇ ଭାଗରେ ବିଭକ୍ତ । ଆଉ ଏହି ଦୁଇ ଦଳ ବିଜେପି ଓ କଂଗ୍ରେସ ସହ ମିଶି ନିର୍ବାଚନ ଲଢୁଛନ୍ତି ।
ଉହାରାଷ୍ଟ୍ରର ବିଧାନସଭା ସିଟ୍ ସଂଖ୍ୟା ହେଉଛି ୨୮୮ । ଏଠାରେ ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୧୪୫ ଆସନ । ତେବେ ଯେେତେସବୁ ଏକଜିଟ୍ ପୋଲ୍ ଆସିଛି ସବୁଥିରେ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳୁଥିବା ଦେଖିବାକୁ ମିଳିଛି । ଆଉ ଅନ୍ୟପଟେ ଉଦ୍ଧବ ଠାକରେଙ୍କ ଶିବସେନା, ଶରଦଙ୍କ ଏନସିପି ଓ କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି ସରକାର ୧୩୦ ରୁ ୧୪୦ ଆସନ ପାଉଥିବା ଆକଳନ କରାଯାଇଛି । ଅନ୍ୟପଟେ ଝାଡଖଣ୍ଡର ମୋଟ୍ ବିଧାନସଭା ସିଟ୍ ସଂଖ୍ୟା ହେଉଛି ୮୧ । ଏଠାରେ ବହୁମତ ପାଇଁ ଦରକାର ୪୨ ସିଟ୍ । ତେଣୁ ଆସନ୍ତାକାଲିର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।