ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି ମାରି ହତ୍ୟା କରିବା ଘଟଣାରେ ଜୋର ଧରିଛି ରାଜନୀତି | ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ | ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସାଲୁଜା କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଠି କେହି ବି ସୁରକ୍ଷିତ ନୁହଁନ୍ତି ଖୋଦ ମନ୍ତ୍ରୀ ମଧ୍ୟ ନୁଁହ | ଏଠି ମନ୍ତ୍ରୀଙ୍କୁ ପୋଲିସ ମାରିଛି ଆଉ ପୋଲିସ କିପରି ସେହି କେସର ତଦନ୍ତ କରିବ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ । ତେଣୁ ଏହି ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ । ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଥିବା ମଧ୍ୟ କହିଛନ୍ତି ସାଲୁଜା ।
ସେପଟେ CBI ତଦନ୍ତ ଦାବି କରିଛି ବିଜେପି | ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ, ହତ୍ୟାକାରୀ ପୋଲିସ ଗୋପାଳ ଦାସକୁ ସେମାନେ ପାଗଳ ବିବେଚନା କରିବେ ବୋଲି ମୁଁ ଜାଣିଥିଲି | ସମଗ୍ର ଘଟଣାକୁ ଏଡ଼ାଇ ଯିବାକୁ ଚେଷ୍ଟା କରିବେ ରାଜ୍ୟ ସରକାର | ଯଦି ପୋଲିସ ଗୋପାଳ ପାଗଳ ଥିଲା, ତେବେ ତାଙ୍କୁ ପିସ୍ତଲ ଦିଆଯାଇଥିଲା କାହିଁକି | ଏସବୁ ଘଟଣା ସନ୍ଦେହ ସୃଷ୍ଟି କରୁଛି | ତେଣୁ ଏହି ଘଟଣାର ତଦନ୍ତ CBI କରୁ |