ବିଜେପି ସରକାରକୁ ଆସିଲେ ବରଗଡରେ କ୍ୟାନ୍ସର ହସ୍ପିଟାଲ ତିଆରି କରାଯିବ: ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Politics-odisha-if-bjp-come-to-power-cancer-hospital-built-in-bargarh-says-dharmendra-pradhan
ବରଗଡ/ଭଟଲି/ପଦ୍ମପୁର/ବିଜେପୁର/ଅତାବିରା, ଏପ୍ରିଲ୧୫(ଖବର ଓଡ଼ିଶା):

ବିଜେପି ସରକାରକୁ ଆସିଲେ ବରଗଡରେ କ୍ୟାନସର ହସ୍ପିଟାଲ ତିଆରି କରାଯିବ ବୋଲି ବରଗଡ ଜିଲ୍ଲାର ଭଟଲି, ପଦ୍ମପୁର, ବିଜେପୁର ଓ ଅତାବିରାରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି  ବରଗଡ ଜିଲ୍ଲାରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯିବ, କୃଷିର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ବିଜେପୁର ଓ ପଦମପୁରର ଚାଷଜମିରେ ସମ୍ପୂର୍ଣ୍ଣ ଜଳସେଚନର ବ୍ୟବସ୍ଥା କରାଯିବ,  ଚାଷୀ ଓ ଗରିବଙ୍କ କଲ୍ୟାଣ ପାଇଁ ଚିନ୍ତା କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ଏତଦବ୍ୟତିତ ଉଭୟ କେନ୍ଦ୍ର ଓ ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବିକାଶର କାମ ତ୍ୱରାନ୍ୱିତ ହେବ । ମୋଦି ଇଞ୍ଜିନ ଲାଗିଲେ ଓଡିଶା ୧ ନମ୍ବର ରାଜ୍ୟ ହେବ ବୋଲି ସେ କହିଛନ୍ତି ।       

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ବିଜେପି ଶାସନ ଦାୟିତ୍ୱରେ ଆସିଲେ ୧୫ ବର୍ଷରୁ କମ ଝିଅଙ୍କ ସହ ଦୁଷ୍କର୍ମ କରୁଥିବା ଲୋକଙ୍କୁ ଫାଶି ଦଣ୍ଡ ଦିଆଯିବ, ଯୁକ୍ତ ଦୁଇ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇ ସେମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯିବ, ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ଏସଏସଜି ମହିଳାଙ୍କ ଋଣଛାଡ ସହ ବ୍ୟବସାୟ ପାଇଁ ବିନା ସୁଧରେ ଋଣ ଦିଆଯିବ, ସବୁ ଗରିବଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଓ ସ୍ଥାୟୀ ପଟ୍ଟା ଦିଆଯିବ, ଆଗାମୀ ୨ ବର୍ଷ ମଧ୍ୟରେ ଖାଲିଥିବା ସବୁ ସରକାରୀ ପଦବୀକୁ ପୂରଣ କରାଯିବ, ଅସ୍ଥାୟୀ ଶିକ୍ଷକଙ୍କୁ ସ୍ଥାୟୀ କରାଯିବ, ସମସ୍ତଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦିଆଯିବ, ସବୁ ଜିଲ୍ଲାରେ ବିଇଡି ଓ ମେଡିକାଲ କଲେଜ ହେବ, କୃଷି ଶ୍ରମିକଙ୍କୁ ୩ ହଜାର ଟଙ୍କା ପେନସନ ଦିଆଯିବାର ବ୍ୟବସ୍ଥା କରାଯିବ, ୧ ଲକ୍ଷ କୋଟି ଟଙ୍କା କୃଷିର ବିକାଶ ପାଇଁ ଜଳସେଚନ ବ୍ୟବସ୍ଥା କରାଯିବ ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସକ୍ରାର କରିବାରେ ଚାଲାକ । ଓଡିଶାରେ ୨୫ଟି ଜିଲ୍ଲାରେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ଅପପୃଷ୍ଟି ଓ କୁପୋଷଣ ସ୍ଥିତି ଗମ୍ଭୀର ଥିବା ବେଳେ ସେମାନଙ୍କୁ ସୁପୋଷଣ କରିବାକୁ ପଡିବ । ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦେଇ ସୁପୋଷଣର ଦାୟିତ୍ୱ ବିଜେପି ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଓଡିଶାର ଏହିସବୁ ମହତ୍ୱପୂର୍ଣ୍ଣ ଅଂଚଳରେ ପିଇବା ପାଣି ନାହିଁ, ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ଓଡିଶାର ଅଧା କୋଇଲାରେ ସାରା ଭାରତ ଜଳୁଥିବା ବେଳେ ଏଠାରେ ୨୪ ଘଂଟା ବିଜୁଳି ନାହିଁ, ରୋଜଗାରର ଉପଲବ୍ଧ ନାହିଁ । ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନରେ ନେଇଥିବା ଦାୟିତ୍ୱକୁ ପୂରଣ କରିନାହାନ୍ତି । ୧୯ ବର୍ଷର ଶାସନ ମଧ୍ୟରେ ପଦ୍ମପୁର କାହିଁକି ପଛୁଆ ଅଛି, ନବୀନ ବାବୁଙ୍କୁ ଏହାର ଜବାବ୍ ଦେବାକୁ ପଡିବ ।  ନବୀନ ବାବୁ ତାମିଲ ଖଣି ମାଫିଆକୁ ଓଡିଶାର ରାଜକୋଷ ଟେକିଦେଇଥିବା ବେଳେ ଓଡିଆ ଯୁବକ ତାମିଲନାଡୁ ଖଟିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।   

ଓଡିଶାକୁ କେନ୍ଦ୍ର ମନ୍ତ୍ରୀ ଆସିବା ଓ କେନ୍ଦ୍ରୀୟ ଅବହେଳା ନେଇ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ମୋଦି ୨୦୧୬ରେ ବରଗଡ ଆସିଥିଲେ । ଏହା ପରେ ଫସଲ ବୀମା ଯୋଜନା ଲାଗୁ ହେଲା, ଫଳରେ ଏଠାକାର ଚାଷୀମାନେ ଉପକୃତ ହୋଇଥିଲେ । ମୋଦି ଏଠାରେ ୧୦୦୦ କୋଟି ଟଙ୍କାରେ ଇଥାନଲ ପ୍ଲାଂଟ ନିର୍ମାଣ କରିବାର ଦାୟିତ୍ୱ ମଧ୍ୟ ନେଇଛନ୍ତି । ଅନ୍ୟପକ୍ଷେ ବରଗଡରୁ ନୂଆପଡା ରେଳ ଲାଇନ ମୋଦି ସରକାର କରିଥିବା ବେଳେ ନବୀନ ବାବୁ ଏଥିରେ ଅସହଯୋଗ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।   

ସେହିପରି ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର କୁଆଡେ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ବରଗଡ ଜିଲ୍ଲାରେ ଟେକ୍ସଟାଇଲ ପ୍ରକଳ୍ପ କାମର ଶୁଭାରମ୍ଭ ପାଇଁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏଠାକୁ ଆସିଥିଲେ । ମାତ୍ର ନବୀନ ବାବୁ ବରଗଡ ବିଧାୟକଙ୍କ ସହ ମିଶି ତାଙ୍କୁ ଟେକା ପଥର ମାଡ କଲେ । ଓଡିଶାକୁ କେନ୍ଦ୍ରମନ୍ତ୍ରୀ ଆସିଲେ ନବୀନ ବାବୁ ତାଙ୍କୁ ଫୁଲ ମାଳ ଦେବା ବଦଳରେ ପଥର ମାଡ କରୁଛନ୍ତିା ଏଥିରେ ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କ ବିକାଶ କଣ ନେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।   

ମୁଖ୍ୟମନ୍ତ୍ରୀ କେଉଁ ଯୋଜନା କରିବେ ତାହା କହୁନଥିବା ବେଳେ ମୋଦିଙ୍କୁ କେବଳ ପାଣି ପିଇପିଇ ଗାଳି କରୁଛନ୍ତି । ମୋଦି ତାଙ୍କ ୫ ବର୍ଷର ଦାୟିତ୍ୱରେ ଓଡିଶାର ୨୪ ଲକ୍ଷ ଗରିବଙ୍କ ଘରେ ସୌଭାଗ୍ୟ ଯୋଜନାରେ ବିଜୁଳି ଦେବାର ବ୍ୟବସ୍ଥା କଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଲେ, ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରିବା ସହ ୪୦ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇଲେ । 

ନବୀନ ବାବୁ ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ପାଇ ମନା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ପଠାଇଲେ, ଶୌଚାଳୟ ପାଇଁ ମଧ୍ୟ ଟଙ୍କାପଠାଇଲେ । ମାତ୍ର ସିଙ୍ଗଲ ଇଞ୍ଜିନ ନବୀନ ବାବୁ ପିସି ନେଲେ । ଓଡିଶାର ବିକାଶ ପାଇଁ ମୋଦିଙ୍କ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ବୁଝୁନଥିବା ନବୀନ ବାବୁ ଓଡିଶାକୁ କଣ ଚଲେଇବେ । ଓଡିଶା ରାଜକୋଷର ଚାବିକାଠି ନବୀନ ବାବୁ ଖଣି ମାଫିଆ ପ୍ରଭାକରନକୁ ଦେଇଛନ୍ତି । ଚିଟ୍ଫଣ୍ଡର ଚାବିକାଠି ସରୋଜ ସାହୁ ପାଖରେ ଅଛି । ଅପରପକ୍ଷରେ ନବୀନ ବାବୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜାଇଦେଇଛନ୍ତି, ଏଥିରେ ସେ ଦିଲ୍ଲୀର ଚାବିକାଠି ରଖିବାକୁ ବାହାରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

  • Tags:

Subscribe

National International State Sports Entertainment