କଳ୍ପନା ଜଳ୍ପନାର ଅବସାନ, ପଦ୍ମ ଧରିଲେ ଦାମ ରାଉତ
Khabar Odisha:Politics-odisha-Senior-political-leader-Damodsar-Rout-join-bjp-today
ଭୁବନେଶ୍ଵର,ମାର୍ଚ୍ଚ୧୪(ଖବର ଓଡ଼ିଶା):

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ । ଗୁରୁବାର ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି.ସିଂହ ଦେଓ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଯୋଗ ଦେଇଛନ୍ତି ଦାମ ରାଉତ। ରାଜ୍ୟ  ପ୍ରଭାରୀ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସଦସ୍ୟ ପତ୍ର ଦେଇ ଦାମଙ୍କୁ ସଦସ୍ୟ କରାଇଛନ୍ତି। ଏହା ପରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଦାମ ସାକ୍ଷାତ କରିବେ। ବୈଜୟନ୍ତଙ୍କ ପରେ ଏବେ ଦାମ ସାମିଲ ହେବା ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିଛନ୍ତି। ଅନ୍ୟ ପଟେ ବିଜେଡି ପାଇଁ ଏହା ଚିନ୍ତାଜନକ ବିଷୟ।

ଦାମଙ୍କ ଯୋଗଦାନ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ବରିଷ୍ଠ ନେତା ହେଉଛନ୍ତି ଦାମ ରାଉତ। ଦାମ ବାବୁ ଆଦିବାସୀ, ପଛୁଆ ବର୍ଗଙ୍କ ସହାନୁଭୂତିଶୀଳ ନେତା। ତାଙ୍କୁ ଆମେ ଦଳରେ ସମସ୍ତେ ସ୍ଵାଗତ କରୁଛୁ। ଦାମଙ୍କ ଆଗମନ ବିଜେପିକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବିଜେଡିରୁ ବହିଷ୍କୃତ ହେବା ପରେ ଦାମୋଦର ବିଜୁ ସମତାକ୍ରାନ୍ତି ଦଳ ଗଠନ କରିବାକୁ ଅଣ୍ଟା ଭିଡିଥିଲେ। ମାତ୍ର ପଞ୍ଚାନନ କାନୁନଗୋ କଂଗ୍ରେସରେ ଏବଂ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ତାଙ୍କର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା। ଏବେ ତାର ଅନ୍ତ ଘଟିଛି ଏବଂ ବିଜେପିରେ ଏହି ଟାଣୁଆ ନେତା ଯୋଗ ଦେଇଛନ୍ତି। ଦାମଙ୍କ ଯୋଗଦାନ ପରେ ଜଗତସିଂହପୁରରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଦାମ ମଧ୍ୟ ପୂର୍ବରୁ କହିଥିଲେ ଯେ, ଯେଉଁ ଦଳ ନବୀନଙ୍କୁ କ୍ଷମତାରୁ ହଟାଇବେ ତାଙ୍କୁ ସେ ସମର୍ଥନ କରିବେ। ନବୀନଙ୍କୁ ହରାଇବା ତାଙ୍କର ଏକ ମାତ୍ର ଲକ୍ଷ୍ୟ। ଏଥିପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି ଦାମ କହିଥିଲେ।

ଦାମୋଦର ରାଉତ ରାଜ୍ୟ ରାଜନୀତିରେ ଜଣେ ବରିଷ୍ଠ, ଅଭିଜ୍ଞ ଓ ଟାଣୁଆ ନେତା। ରାଜ୍ୟ ରାଜନୀତିରେ ତାଙ୍କର ବହୁତ ପ୍ରଭାବ ଓ କତୃତ୍ଵ ରହିଛି।  ସେ ଦୀର୍ଘ ୩୫ ବର୍ଷ ଧରି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସେ ଜନତା ଦଳରୁ ତିନି ଥର ବିଧାୟକ ହେବା ପରେ ୧୯୯୯ରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସେ ଚାରି ଥର ଏରସମାରୁ ନିର୍ବାଚିତ ହୋଇଥିବା ବେଳେ ଗତ ଦୁଇଟି ନିର୍ବାଚନ ୨୦୦୯  ଓ ୨୦୧୪ରେ ପାରାଦୀପରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ଏହା ସହିତ ସେ ବିଜୁ ଜନତା ଦଳ ସରକାରରେ ଅନେକ ମହତ୍ଵପୂର୍ଣ୍ଣ ପଦରେ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

ବିଜେଡିରେ ଥିବା ବେଳେ ଦାମ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିଲେ। ତାଙ୍କର ବିବାଦୀୟ ବୟାନ ଦଳକୁ ଅଡୁଆରେ ପକାଉଥିଲା। ଏହା ସହିତ ସେ ସରକାରଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଥିଲେ। ଓମଫେଡ୍ ଦୁର୍ନିତୀ ଠାରୁ ଆରମ୍ଭ କରି ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ ଚାରା ଘୋଟାଲାକୁ ନେଇ ମଧ୍ୟ ସେ ସରକାରଙ୍କ ବିରୋଧରେ କହିବାକୁ ଡରି ନଥିଲେ। ଯାହାଫଳରେ ଶାସକ ଦଳ ବିଜେଡିର ଦୁର୍ନୀତିର ମୁଖା ଖୋଲିଥିଲା। ଏହା ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା।

  • Tags:

Subscribe

National International State Sports Entertainment