କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା ଜାରି, ଭୂପିନ୍ଦର ସଂହଙ୍କୁ ସୋନିପତରୁ ମିଳିଲା ଟିକେଟ
Khabar Odisha:Politics-congress-Congress-releases-list-of-5-candidates-Bhupinder-Singh-Hooda-to-contest-from-Sonipat

ନୂଆଦିଲ୍ଲୀ, ଏପ୍ରିଲ ୨୨ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ ୨୦୧୯ ପାଇଁ କଂଗ୍ରେସ ହରିୟାଣାର ଶେଷ ୫ ଆସନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ସୋନିପତରୁ ଟିକେଟ ଦିଆଯାଇଛି । ଏହା ବ୍ୟତୀତ କୁରୁକ୍ଷେତ୍ର, ହିସାର, କରନାଲ ଏବଂ ଫରିଦାବାଦ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି । କଂଗ୍ରେସ ଫରିଦାବାଦରୁ ଲଲିତ ନାଗରଙ୍କ ସ୍ଥାନରେ ଅବତାର ସିଂହ ଭଡାନାଙ୍କୁ ଟିକେଟ ଦେଇଛି । ଭଡାନା କିଛି ଦିନ ତଳେ ଭାରତୀୟ ଜନତା ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ । 

କୁରୁକ୍ଷେତ୍ର ଆସନରୁ ନିର୍ମଳ ସିଂହ ନିର୍ବାଚନ ଲଢ଼ିବେ । ହିସାର ଆସନରୁ ଭବ୍ୟ ବିଷ୍ଣୋଇଙ୍କୁ ନିର୍ବାଚନ ପଡ଼ିଆରେ ଅବତରଣ କରାଯାଇଛି । କରନାଲରୁ କୁଲଦୀପ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଏଭଳି ଭାବରେ କଂଗ୍ରେସ ହରିୟାଣାରେ ବାକି ଥିବା ୫ ଆସନରେ ପ୍ରାର୍ଥୀ ଦେବା ପରେ ସମସ୍ତ ୧୦ଟି ଯାକ ଆସନରେ ପ୍ରାର୍ଥୀ ଦେବା ପ୍ରକ୍ରିୟା ଶେଷ କରିଛି । 

ଆମ ଆଦମୀ ପାର୍ଟି ଦିଲ୍ଲୀ ବ୍ୟତୀତ ହରିୟାଣାରେ ମଧ୍ୟ କଂଗ୍ରେସ ସହିତ ମେଣ୍ଟ କରିବାକୁ ଚାହୁଁଥିଲା । କଂଗ୍ରେସ ତାଲିକାରେ ହରିୟାଣାର ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ଏହାର ଅର୍ଥ ଆପ ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ । ଏଥି ସହିତ ଦିଲ୍ଲୀରେ ମଧ୍ୟ ହେବାକୁ ଥିବା ମେଣ୍ଟ ଆଶା ଶେଷ ହୋଇ ଯାଇଛି । କାରଣ ଦିଲ୍ଲୀ କଂଗ୍ରେସ ଦିଲ୍ଲୀ ପାଇଁ ସମସ୍ତ ପ୍ରାର୍ଥୀଙ୍କର ନାମ ଏକ ପ୍ରକାରର ଚୂଡାନ୍ତ କରି ସାରିଛି । ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ମେ’ ମାସ ୧୨ ତାରିଖରେ ମତଦାନ ହେଉଥିବାରୁ ନାମାଙ୍କନର ଶେଷ ଦିନ ମଙ୍ଗଳବାର ଅଛି । ଫଳରେ କଂଗ୍ରେସ ସୋମବାର ପ୍ରାର୍ଥୀ ତାଲିକା ଜାରି କରିପାରେ । 

 

 

  • Tags:

Subscribe

National International State Sports Entertainment